ପ୍ରଧାନମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ ତେରଛା ବାଣ । କହିଲେ ଏନଏଚ୍-୫୫ରେ ଥରେ ବୁଲି ଆସନ୍ତୁ ପ୍ରଧାନମନ୍ତ୍ରୀ, ଏମଏସପିକୁ ନେଇ ଦେଲେ ମୁହଁତୋଡ ଜବାବ ।

1,249

କନକ ବ୍ୟୁରୋ : ସାଲେପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ବିକାଶମୂଳକ କାମର ହିସାବ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଏହାସହ ବିରୋଧୀ ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ଏବେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସି କହୁଛନ୍ତି ଧାନର ଏମଏସପି ୨୨୦୦ ଟଙ୍କା ମିଳୁଛି ଏହା ମୋତେ ଦୁଃଖ ଦେଉଛି । କିନ୍ତୁ ଓଡ଼ିଶାରେ ଚାଷୀକୁ ୨୨୦୦ ଟଙ୍କା କିଏ ଦେଉଛି? କେନ୍ଦ୍ର ସରକାର ହିଁ ଧାନର ଏମଏସପି ଦେଉଛି । ଏହା ରାଜ୍ୟର କ୍ଷମତା ନୁହେଁ । ଭୋଟ ପାଇଁ କେତେ ମିଛ କହିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହୁଛନ୍ତି, ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି ସେଠାରେ କାମ ଜୋରସୋରରେ ହେଉଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଥରେ ସମ୍ବଲପୁରରୁ କଟକ ଏନଏଚ୍-୫୫ରେ ଆସନ୍ତୁ । ଏହି ରାସ୍ତା କେନ୍ଦ୍ର ଅଧୀନରେ ଆସୁଛି । ଦୀର୍ଘ ୮ ବର୍ଷ ହେଲାଣି କାମ ଚାଲୁଛି ସରୁନି । ୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । କେଉଁଠି ଗଲା କେନ୍ଦ୍ର ସରକାରଙ୍କ ସ୍ପିଡ କାମ । କିନ୍ତୁ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ବିଜୁ ଏକ୍ସପ୍ରେସ ୱେ ଭଳି ନୂଆ ରାସ୍ତା କରି ଦେଖାଇଛନ୍ତି । ୮ ବର୍ଷରେ କେନ୍ଦ୍ର ପୁରୁଣା ରାସ୍ତାଟିଏ ମଧ୍ୟ ସମ୍ପୂର୍ଣ୍ଣ କରିପାରୁନି । ଏହା ପ୍ରଧାନମନ୍ତ୍ରୀଙ୍କ ଡବଲ ଇଞ୍ଜିନ ବୋଲି କି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।

ସ୍ୱଚ୍ଛତାକୁ ନେଇ ପାଣ୍ଡିଆନ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟସଭା ଓ ଲୋକସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି । ଯଦି ଜଣେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ସହ କାମ କରନ୍ତି ତେବେ ରାଜ୍ୟ ଉପରକୁ ଯିବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି । କିନ୍ତୁ ଏବେ ନିର୍ବାଚନ ଅଛି ବୋଲି ପ୍ରଧାନମନ୍ତ୍ରୀ ଅଲଗା ଭାଷା କହୁଛନ୍ତି । ନବୀନ ବାବୁଙ୍କ ସ୍ୱଚ୍ଛତା, ନବୀନଙ୍କ ନିସ୍ୱାର୍ଥପର କାମକୁ ଓଡ଼ିଶାବାସୀ ଜାଣିଛନ୍ତି ତେଣୁ ବାରମ୍ବାର ଆଶୀର୍ବାଦ କରୁଛନ୍ତି । ଆସନ୍ତା ଜୁନ୍ ୯ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ଗ୍ରହଣ କରିବେ । ସାରା ଓଡ଼ିଶା କହୁଛି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ଭତ୍ତା ପ୍ରଦାନ କରିବାକୁ ମୋହର ମାରିବେ । ନବୀନ ସେବା କରିବାକୁ ଆସିଛନ୍ତି କ୍ଷମତା ପାଇଁ ନୁହେଁ । ଯିଏ କ୍ଷମତା ପାଇଁ ରାଜନୀତି କରୁଛନ୍ତି ସେମାନେ ମିଛ କଥା କହିବେ, ଅପପ୍ରଚାର କରିବେ ଏବଂ ନିର୍ବାଚନ ଆଗରୁ କୁମ୍ଭୀର କାନ୍ଦଣା କାନ୍ଦିବେ ।

ବିଜେପିର ସାଂସଦ ପ୍ରାର୍ଥୀଙ୍କୁ ନେଇ ପାଣ୍ଡିଆନ କହିଛନ୍ତି, ଯେଉଁ ହାତ ଖାଇବାକୁ ଦେଉଛି ସେହି ହାତକୁ କାମୁଡିଛନ୍ତି । କିଛି ଏଭଳି କହି ବୈଜୟନ୍ତଙ୍କୁ ବାଣ ମାରିଛନ୍ତି ପାଣ୍ଡିଆନ ।