ରମାଦେବୀରେ ଭୁଶୁଡିଲା ନୂଆ ପାଚେରୀ। ଦୁଇମାସ ବି ଗଲାନି ନିର୍ମାଣ କାମ।

737

କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ବିଶ୍ୱବିଦ୍ୟାଳୟରେ ବି ହେଉଛି ନିମ୍ନମାନର କାମ । ନିର୍ମାଣର ଦୁଇମାସ ନ ହେଉଣୁ ମୁଖ୍ୟରାସ୍ତା ପଟେ ଥିବା ଏହି ପାଚେରୀ ଭାଙ୍ଗି ବିଶ୍ୱବିଦ୍ୟାଳୟ ବଗିଚାରେ ପଡିଛି । ପ୍ରାୟ ୧୦୦ ଫୁଟ ଲମ୍ବ ଓ ୧୨ ଫୁଟ ଉଚ୍ଚର ପାଚେରୀ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତେବେ ସୌଭାଗ୍ୟବଶତଃ ପାଚେରୀ ଭୁଶୁଡିବା ସମୟରେ ସେଠାରେ କେହି ଉପସ୍ଥିତ ନଥିଲେ । ତେଣୁ ଏଥିରେ କେହି ହତାହତ ହୋଇନାହାନ୍ତି । ନିଜେ କୁଳପତି ବି ଅଭିଯୋଗ କରିଛନ୍ତି, କାମ ନିମ୍ନମାନର ହୋଇଥିଲା । କାନ୍ଥ ପାଖରେ ପାଣି ଶୋକିଙ୍ଗ ହେଉଥିଲା । ଏନେଇ ବିଏମସି ଓ ସ୍ମାର୍ଟ ସିଟି କର୍ତୃପକ୍ଷଙ୍କୁ ଜଣାଇଥିଲୁ । ପାଚେରୀ ନିର୍ମାଣ ସମୟରେ ବିମ ନଥିଲା କି ପାଚେରୀ ନଥିଲା । ଏନେଇ ଠିକା କର୍ମଚାରୀଙ୍କୁ ପଚରାଉଚରା କରାଯିବ ।

ଦୁଇମାସ ତଳେ ମୁଖ୍ୟରାସ୍ତା କଡରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ପାଚେରୀ ନିର୍ମାଣ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱବିଦ୍ୟାଳୟରେ ସମାବର୍ତନ ଉତ୍ସବରେ ଯୋଗଦେବାକୁ ଆସିଥିବାବେଳେ ନିମ୍ନମାନର କାମ କରାଯାଇଥିବା ଅଭିଯୋଗ ହୋଇଛି । ଯେଉଁଠାରେ ପାଚେରୀ ଭୁଷୁଡିଛି ସେଠାରେ ଛାତ୍ରୀମାନେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଆଉ ତା ପୂର୍ବରୁ ହିଁ ପାଚେରୀ ଭୁଷୁଡିଯାଇଛି । ବିଏମସି କମିଶନର କହିଛନ୍ତି, ଏ ନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ଏ ନେଇ ବିଏମସି କର୍ତୃପକ୍ଷ ପଦକ୍ଷେପ ନେବେ ।

ପୂର୍ବରୁ ଯେଉଁ ପାଚେରୀ ଥିଲା ତା ଉପରେ ଇଟା ବସାଯାଇ ପାଚେରୀକୁ ବଢାଯାଇଥିବା ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି,
ଦିନ ୧୦ଟା ପରେ ପାଚେରୀ ଭାଙ୍ଗିଥିଲେ କଣ ହୋଇଥାନ୍ତା ? କାରଣ ୧୦ଟା ପରେ ଛାତ୍ରୀମାନେ ଏଠାକୁ ପଢିବାକୁ ଆସିଥାନ୍ତି ।
-ଛାତ୍ରୀମାନେ ହଷ୍ଟେଲରେ ସୁରକ୍ଷିତ ରହିପାରିବେ କି ? କାରଣ ଏଠାରେ ବିଶ୍ୱବିଦ୍ୟାଳୟର ୩ଟି ହଷ୍ଟେଲ ଅଛି
– ନିମ୍ନମାନର କାମ ପାଇଁ ଦାୟୀ କିଏ ଓ ଠିକାଦାରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ କି?