୨୦୨୫ ଆଇପିଏଲ ଖେଳିବେ କି ଗେଲ୍? ସିକ୍ସର କିଙ୍ଗଙ୍କୁ କଣ କହିଲେ ବିରାଟ କୋହଲି?

300

କନକ ବ୍ୟୁରୋ : ରୋମାଞ୍ଚକର ମ୍ୟାଚରେ ଚେନ୍ନାଇକୁ ମାତ୍ ଦେଇ ପ୍ଲେ-ଅଫ୍ ଟିକେଟ ହାତେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଯାହାକୁ ନେଇ କ୍ରିକେଟପ୍ରେମୀଙ୍କ ସମେତ ଆରସିବିର ଡ୍ରେସିଂ ରୁମରେ ଜବରଦସ୍ତ ସେଲିବ୍ରେସନ ଦେଖିବାକୁ ମିଳିଥିଲା । ଏହି ସ୍ମରଣୀୟ ମୁହୂର୍ତ୍ତରେ ଆରସିବି ଟିମ୍ ସହ ଯୋଡି ହୋଇଥିଲେ କ୍ରିକେଟର ୟୁନିଭର୍ସ ତଥା ସିକ୍ସର କିଙ୍ଗ କ୍ରିସ୍ ଗେଲ୍ । ଦୀର୍ଘ ଦିନ ଧରି ଆରସିବି ପକ୍ଷରୁ ଖେଳିଥିବା କ୍ରିସ୍ ଗେଲଙ୍କୁ ଡ୍ରେସିଂ ରୁମରେ ପାଇ ଆରସିବି ଖେଳାଳୀ ମଧ୍ୟ ବେଶ ଖୁସି ଥିଲେ । ଯାହାର ଭିଡ଼ିଓ ଆରସିବି ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି ।

ଆରସିବି ପୋଷ୍ଟ କରିଥିବା ଭିଡ଼ିଓରେ କ୍ରିସ୍ ଗେଲଙ୍କୁ ମଜାଳିଆ ଅନ୍ଦାଜରେ କୋହଲି କହିଛନ୍ତି କି, କାକା ଆଗାମୀ ବର୍ଷ ଆଇପିଏଲରେ ପୁଣିଥରେ ଆସନ୍ତୁ । ଏବେ ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ ହୋଇଛି । ତେଣୁ ତମକୁ ଆଉ ଫିଲ୍ଡିଂ କରିବାକୁ ଆବଶ୍ୟକ ପଡିବନି । ଏହି ନିୟମ ତମ ପାଇଁ ହିଁ ଡିଜାଇନ କରାଯାଇଛି । କୋହଲିଙ୍କ ଏହି କଥା ଶୁଣି କ୍ରିସ୍ ଗେଲ୍ ମଧ୍ୟ ନିଜ ହସକୁ ରୋକିପାରିନଥିଲେ । କେବଳ ଏତିକି ନୁହେଁ, କୋହଲି କହିଥିଲେ ଚଳିତ ସିଜିନରେ ସର୍ବାଧିକ ଛକା ମଧ୍ୟ ମାରିଛି । ଗେଲ ପଚାରିଥିଲେ କେତୋଟି ଛକା ମାରିଛ । ଯାହାର ଉତ୍ତରରେ କୋହଲି କହିଥିଲେ ୩୭ଟି ଛକା ମାରିଛି । ଏହାପରେ ଉଭୟ ଖେଳାଳୀ ଫଟୋ ଉଠାଇଥିଲେ । ପରେ ଗେଲଙ୍କୁ କୋହଲି ଆରସିବିର ଏକ ଜର୍ସି ଉପହାର ଦେଇଥିଲେ । ଏହାସହ ଆଗାମୀ ମ୍ୟାଚ୍ ପାଇଁ ଗେଲ ସମସ୍ତ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇ ଡ୍ରେସିଂ ରୁମ ଛାଡିଥିଲେ ।

ଏହାପୂର୍ବରୁ ଆଇପିଏଲରେ ବେଙ୍ଗାଲୁରୁ ପକ୍ଷରୁ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି ଗେଲ । ଉଭୟ ଗେଲ ଓ କୋହଲି ଅନେକ ମ୍ୟାଚରେ ଦଳକୁ ବିଜୟ ମଧ୍ୟ କରିଛନ୍ତି । ତେବେ ୩ ବର୍ଷ ହେବ ଗେଲ୍ ଆଇପିଏଲରୁ ସନ୍ୟାସ ନେଇ ସାରିଛନ୍ତି । ଆଇପିଏଲରୁ ସନ୍ୟାସ ନେଇଥିଲେ ମଧ୍ୟ ଗେଲ ଅନେକ ସମୟରେ ଆରସିବିକୁ ଚିୟର ଅପ୍ କରିଥାନ୍ତି । ଚେନ୍ନାଇ ବିପକ୍ଷ ମ୍ୟାଚରେ ମଧ୍ୟ ଗେଲ୍ ଷ୍ଟାଡିୟମରେ ଉପସ୍ଥିତ ରହି ଆରସିବିକୁ ଚିୟରଅପ୍ କରିଥିଲେ । ଆରସିବିର ବିଜୟରେ ଷ୍ଟାଡିୟମରେ ଖୁସି ମନାଇଥିଲେ ଗେଲ୍ ।

ଆଇପିଏଲରୁ ସନ୍ୟାସ ନେଇଥିଲେ ମଧ୍ୟ କ୍ରିସ୍ ଗେଲଙ୍କ ୧୭୫ ରନର ବିସ୍ଫୋରକ ଇନିଂସ ସମସ୍ତଙ୍କର ମନେ ରହିଛି । ଆଇପିଏଲରେ ଗେଲଙ୍କ ନାଁରେ ୬ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ରହିଛି । ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ଗେଲଙ୍କ ନାଁରେ ରହିଛି । ଆଇପିଏଲରେ ଦୁଦ୍ଦର୍ଷ ବ୍ୟାଟର ଭାବେ ଜଣାଶୁଣା ଥିଲେ କ୍ରିସ୍ ଗେଲ୍ । ଅନ୍ୟପଟେ ଆରସିବି ପ୍ଲେ-ଅଫରେ ଏଣ୍ଟ୍ରି କରିଥିବା ବେଳେ ପ୍ରଥମ ଏଲିମିନେଟର ମ୍ୟାଚରେ ରାଜସ୍ଥାନକୁ ଭେଟିବ । ଶେଷ ୬ ମ୍ୟାଚରୁ ୬ଟିରେ ବିଜୟୀ ହୋଇ ଆରସିବି ପ୍ଲେ-ଅଫରେ ଏଣ୍ଟ୍ରି କରିଛି । ତେଣୁ ଏହି ବିଜୟ ଧାରା ଜାରି ରଖିବା ସହ ପ୍ରଥମ ଥର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି ଆରସିବି ।