ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବିଜେଡି। ମହାମାରୀରେ ୧୧୪% ବଢ଼ିଛି ୩୬ଟି ଦଳର ଆୟ।

957

କନକ ବ୍ୟୁରୋ: ସାମାଜିକ ସଂଗଠନ ଆସୋସିଏଟ ଅଫ୍ ଡେମୋକ୍ରାଟିକ ରିଫର୍ମ- ଏଡିଆରର ରିପୋର୍ଟ ଅନୁସାରେ ଦେଶରେ ଦ୍ୱିତୀୟ ଧନୀ ଦଳ ବିଜେଡି । ଆୟରେ ସର୍ବାଧିକ ବୃଦ୍ଧି ହୋଇଥିବା ଆଞ୍ଚଳିକ ରାଜନୈତିକ ଦଳ । ଦେଶରେ ସମସ୍ତ ୩୬ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରୁ କେବଳ ବିଜେଡିର ଆୟ ୨୫.୩୩ ପ୍ରତିଶତ । ସବୁଠାରୁ ବଡକଥା ହେଉଛି, ନିର୍ବାଚନ, ପ୍ରଚାର ସମେତ ବିଭିନ୍ନ କ୍ଷେତ୍ରରେ ବିଜେଡି ପ୍ରାୟ ୨୮ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏହାର ପାଖାପାଖି ୯୦ ପ୍ରତିଶତ ଟଙ୍କା ବଳକା ରହିଛି । ଭାରତୀୟ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳକୁ ସେମାନଙ୍କ ଆୟ-ବ୍ୟୟର ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଆୟ-ବ୍ୟୟକୁ ସମୀକ୍ଷା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି ଏଡିଆର ।

ବିଜେଡିକୁ କେଉଁଠୁ ଆସିଛି ଟଙ୍କା?
– ୯୦.୦୭% ଅର୍ଥାତ ୨୯୧ କୋଟି ଟଙ୍କା ଗ୍ରାଂଟ, ଡୋନେସନ ଏବଂ କଂଟ୍ରିବ୍ୟୁସନ୍ ଜରିଆରେ ମିଳିଛି
– ୧୬ କୋଟି ୧୭ ଲକ୍ଷ ୬୦ ହଜାର ଟଙ୍କା ବ୍ୟାଙ୍କ ସୁଧ ବାବଦକୁ ପାଇଛି ବିଜୁ ଜନତା ଦଳ
– ୧ ଲକ୍ଷ ୬୦ ହଜାର ଟଙ୍କା ବିଭିନ୍ନ ପ୍ରକାର ଫି’ ଓ ୯ ଲକ୍ଷ ୬୦ ହଜାର ଟଙ୍କା ଅନ୍ୟ ସୂତ୍ରରୁ ପାଇଛି
ତେବେ ଏଥିରେ କୌଣସି ଅସ୍ୱଭାବିକତା ନଥିବା କହିଛନ୍ତି ବିଜେଡି ନେତା । ପୂର୍ବରୁ ଆସିଥିବା ରିପୋର୍ଟରେ ଜାତୀୟସ୍ତରରେ ବିଜେପି ସବୁଠାରୁ ଅଧିକ ଧନୀ ରାଜନୈତିକ ଦଳ ବୋଲି ପ୍ରକାଶ ପାଇଥିବା କହିଛନ୍ତି ବିଜେଡି ବିଧାୟକ ।

ଆଞ୍ଚଳିକ ଦଳ ଭାବେ ବିଜେଡିର ଆୟକୁ ନେଇ କିନ୍ତୁ ପ୍ରଶ୍ନ ଉଠାଇଛି ବିଜେପି । ଲିଗାଲ ଫଣ୍ଡିଂ ବାଦ୍ ବିଜେଡି ପାଖରେ ସାଢେ ୪ କୋଟିର କଳାଧନ ରହିଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । କଂଗ୍ରେସ ମଧ୍ୟ ସ୍ୱର ମିଳାଇ ବିଜେଡିର ଆୟ ଉପରେ ପ୍ରଶ୍ନ ଉଠାଇବା ସହ ବ୍ୟୟବହୁଳ ନିର୍ବାଚନୀ ଖର୍ଚ୍ଚକୁ ଟାର୍ଗେଟ କରିଛି ।
ଏହାରି ଭିତରେ ରାଜନୈତିକ ଦଳକୁ ଆସୁଥିବା ପାଣ୍ଠିର ଏକ ବଡ ସ୍ରୋତ ପାଲଟିଛି ଇଲେକ୍ଟୋରାଲ ବଣ୍ଡ । ବଡ ବ୍ୟବସାୟୀ କିମ୍ବା ଗୋଷ୍ଠୀ ଏସବିଆଇ ଠାରୁ ଇଲେକ୍ଟୋରାଲ ବଣ୍ଡ କିଣି ରାଜନୈତିକ ଦଳଗୁଡିକୁ ଚାନ୍ଦା ଆକାରରେ ଦେଉଛନ୍ତି । ଅଧିକାଂଶ କ୍ଷେତ୍ରରେ ଏହା କିଏ ଦେଉଛି ଜଣାପଡେ ନାହିଁ । ସୂଚନା ଅଧିକାର ଆଇନ ବଳରେ ଏଡିଆରକୁ ମିଳିଥିବା ତଥ୍ୟ ଅନୁସାରେ
୨୦୨୧ରେ ମୋଟ୍ ୨ ହଜାର ୬୭୩ କୋଟି ୫ ଲକ୍ଷ ୨୫ ହଜାର ଟଙ୍କା ଇଲେକ୍ଟୋରାଲ ବଣ୍ଡ ଆକାରରେ ରାଜନୈତିକ ଦଳଗୁଡିକୁ ମିଳିଛି
– ଏଥିରେ ଜାତୀୟ ରାଜନୈତିକ ଦଳର ଭାଗ ୬୭.୭୯% ହୋଇଥିବାବେଳେ ୩୧.୯୧% ଆଞ୍ଚଳିକ ଦଳଗୁଡିକୁ ମିଳିଛି ।