ଗୋ-ପାଳନ ଦେଲା ନୂଆ ପରିଚୟ । କ୍ଷୀର ବ୍ୟବସାୟ କରି ସ୍ୱାବଲମ୍ବୀ, ୨୫ଟି ପରିବାରର ସାହାରା ପାଲଟିଛନ୍ତି ନମିତା

146

କନକ ବ୍ୟୁରୋ : ଗାଇ ଫାର୍ମରୁ ମିଳୁଛି ଭଲ ରୋଜଗାର । ପାଖାପାଖି ୧୫୦ରୁ ଅଧିକ ଗାଇ ରଖି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳା ମାନଙ୍କୁ ରୋଜଗାର ଦେଇଛନ୍ତି କୋରାପୁଟର ନମିତା ପାଟଯୋଶୀ । ଏହି ଗୋପାଳନ କେନ୍ଦ୍ରରୁ କେବଳ ସେ ନିଜେ ଉପକୃତ ହେଉଛନ୍ତି ତା’ ନୁହେଁ ପାଖାପାଖି ୨୫ଟି ପରିବାର ପାଇଁ ଅନ୍ନଦାତ୍ରୀ ପାଲଟିଛନ୍ତି । ଅର୍ଥ ଅଭାବରୁ କାମ ଧନ୍ଦା ଖୋଜି ବାହାରକୁ ଯାଉଥିବା ଲୋକଙ୍କୁ ସେ ସହାୟତାର ହାତ ବଢ଼ାଇଛନ୍ତି । ଏହି କାମରେ ସେ କିଛି ମହିଳା ଓ ପୁରୁଷଙ୍କୁ ନିୟୋଜିତ କରିଛନ୍ତି । ଯେଉଁମାନେ ଗାଇ ମାନଙ୍କୁ ଖାଦ୍ୟ ଦେଉଛନ୍ତି, ଗାଇଙ୍କୁ ଗଧୋଇ ଦେଉଛନ୍ତି । ପୁଣି ଗାଇ ଦୁହିଁବା କାମରେ ବ୍ୟସ୍ତ ଅଛନ୍ତି । ରୋଜଗାର କରିବା ପାଇଁ ଏଭଳି କିଛି ବାଟ ବାଛି ଏଥିରେ ସେ ସଫଳତା ପାଇଛନ୍ତି କୋରାପୁଟ ହାଉସିଂବୋର୍ଡ ଅଂଚଳର ନମିତା ପାଟ୍ଟଯୋଶୀ ।

ନମିତା ୧୯୮୭ ମସିହାରେ ବାହା ହୋଇ ଶାଶୁ ଘରକୁ ଆସିଥିଲେ । ସେହି ସମୟରେ ପରିବାର ଚଳାଇବା ତାଙ୍କ ପକ୍ଷେ ବେଶ କଷ୍ଟକର ଥିଲା । ସ୍ୱାମୀଙ୍କ ସ୍ୱଳ୍ପ ରୋଜଗାର ଯୋଗୁଁ ପିଲାଙ୍କ ପାଇଁ କ୍ଷୀର ଯୋଗାଡ଼ କରିବା ଓ ପାଠପଢ଼ା ଖର୍ଚ୍ଚ ଯୋଗାଇରେ ଅନେକ ସମସ୍ୟାର ସମୁଖୀନ ହୋଇଥିଲେ ନମିତା । ଆଉ ସେବେଠାରୁ କିଛି ରୋଜଗାର କରିବା ପାଇଁ ସେ ସଙ୍କଳ୍ପ ନେଇ ଆରମ୍ଭ କରିଥିଲେ ଗାଇ ଫାର୍ମ । ପ୍ରଥମେ ୧୦୦ଟି ଗାଇ ରଖିବା ପାଇଁ ଲକ୍ଷ୍ୟ ରଖିଥିଲେ । ଏବେ ସେ ୧୦୦ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ ରଖିଛନ୍ତି । ଯେଉଁଠି କାମ କରି ଅନେକ ମହିଳା ରୋଜଗାର ପାଇପାରୁଛନ୍ତି । ଘର ପାଖରେ ରହି କିଛି ରୋଜଗାର କରୁଥିବାରୁ ସେମାନେ ଖୁସିବ୍ୟକ୍ତ କରିଛନ୍ତି ।

ତାଙ୍କ ଫାର୍ମରୁ ପ୍ରଥମେ ଦିନକୁ ୫ ଲିଟର କ୍ଷୀର ବାହାରୁଥିଲା । ଏବେ ଦିନକୁ ୬ଶହ ଲିଟର କ୍ଷୀର ସଂଗ୍ରହ କରୁଛନ୍ତି ନମିତା । ସିନ୍ଧି, ହରିଆନା, ଜର୍ସୀ ଓ ଦେଶୀ ଗାଈ ରଖି ସେ କ୍ଷୀର, ଦହି, ପନିର ଓ ଘିଅ ଆଦି ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଆଉ ଏହାକୁ କିଣିବା ପାଇଁ ସକାଳେ ଓ ସନ୍ଧ୍ୟାରେ ଏହି କେନ୍ଦ୍ରରେ ଲୋକଙ୍କ ଗହଳି ଲାଗିଥାଏ ।

ଗୋଶାଳାରେ କାମ କରୁଥିବା କର୍ମଚାରୀଙ୍କ ପିଲାମାନଙ୍କ ଦେଖାରଖା, ପାଠପଢ଼ା, ସୁବିଧା ଅସୁବିଧା ମଧ୍ୟ ବୁଝୁଛନ୍ତି ନମିତା । ଅଭାବରେ ରହି ଆଗକୁ ବଢ଼ିବା ଶିଖିଥିବା ନମିତା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।