ଗାଁ ମହିଳାଙ୍କ କମାଲ । ସ୍ୱାମୀଙ୍କ ସହଯୋଗରେ ଛତୁଚାଷ କରି ଚର୍ଚ୍ଚାରେ ଆଠଗଡ଼ର ସଞିତା ଓ ମିତାଲି

117

କନକ ବ୍ୟୁରୋ : ଛତୁ ଚାଷ ଏକ ଲାଭଜନାକ ଚାଷ ହେଇଥିବା ବେଳେ ଏହାକୁ ଅପଣେଇ ଗାଁ ଗହଳିରେ ଅଧିକାଂଶ ଚାଷୀ ଲାଭବାନ ହେଉଛନ୍ତି । ଏହି ଚାଷରୁ କମ ସମୟରେ ଅଧିକ ଲାଭ ମିଳିଥାଏ । ଏହି ବ୍ୟବସାୟକୁ ଆପଣେଇ ଉଭୟ ଚାଷୀ ଓ ବ୍ୟବସାୟୀ ଆତ୍ମନିର୍ଭର ହୋଇପାରୁଛନ୍ତି । ଆଠଗଡ଼ ବ୍ଲକ କଣ୍ଡରେଇ ପଂଚାୟତର ବାଉଁଶଟାଙ୍ଗର ଗାଁର ଦୁଇ ମହିଳା ସଞିତା ଭୁଜବଳ ଓ ମିତାଲି ସାମଲ ଛତୁଚାଷ କରି ରୋଜଗାରକ୍ଷମ ହୋଇଛନ୍ତି । ଏହି ଚାଷ କାମରେ ସେମାନଙ୍କ ସ୍ୱାମୀ ସେମାନଙ୍କୁ ସହଯୋଗ କରୁଛନ୍ତି । ଏଥିପାଇଁ ସେମାନଙ୍କୁ ପ୍ରଥମେ ବଜାରରୁ ଛତୁମଞି କିଣିବାକୁ ପଡ଼ିଥାଏ । ଚାଷୀଙ୍କ ଠାରୁ ନଡ଼ା ଏବଂ ବାଉଁଶ କିଣିବାକୁ ପଡ଼ିଥାଏ । ବାଉଁଶ ସାହାଯ୍ୟରେ ଭାରା ବାନ୍ଧି ବେଡ଼ ପକାଇବାକୁ ପଡ଼ିଥାଏ । ଏହା ପରେ ଛତୁ ମଞି ପକାଇ ଚତୁ ଚାଷ କରିଥାନ୍ତି ଏହି ମହିଳା ମାନେ ।

ବଜାରରେ ଛତୁର ଚାହିଦା ଅଧିକ ରହୁଥିବାରୁ ଭଲ ବ୍ୟବସାୟ ମଧ୍ୟ ହେଉଛି । ଏହି ଦୁଇ ଜଣ ମହିଳା ପାଖାପାଖି ୧୬ଶହ ବେଡ଼ ପକାଇଛନ୍ତି । ପ୍ରତିଦିନ ୧୦ରୁ ୧୫ କେଜି ଅମଳ କରୁଛନ୍ତି । ମାସକୁ ୫୦ ହଜାର ଟଙ୍କା ବିନିଯୋଗ କରି ସେଥିରୁ ସମସ୍ତ ଖର୍ଚ୍ଚ ଯାଇ ୨୦ରୁ ୨୫ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଅମଳ ହେଉଥିବା ଛତୁ ଆଠଗଡ଼, କଟକ, ଖଂଟୁଣୀ, ଚୌଦ୍ୱାର, ଅଂଚଳରେ ବିକ୍ରି କରାଯାଉଛି । ଏହା ସହ ସ୍ଥାନୀୟ ଅଂଚଳର ବ୍ୟବସାୟୀ ସେମାନଙ୍କ ନିକଟକୁ ଯାଇ ଛତୁ କିଣିନିଅନ୍ତି । ଛତୁର ଚାହିଦା ରହିଥିବାରୁ ଏହି ଦୁଇ ମହିଳା ସ୍ଥାନୀୟ ଅଂଚଳରେ ବେଶ ପରିଚିତ ହେଇପାରିଛନ୍ତି । ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସଞିତା ଭୁଜବଳ ଓ ମିତାଲି ସାମଲ ।

ଚାଷ କ୍ଷେତ୍ରରେ କେବଳ ପୁରୁଷ ଲୋକମାନେ ଯେ ସଫଳ ହୁଅନ୍ତି ତା ନୁହେଁ । ମହିଳା ମାନେ ମଧ୍ୟ କିଛି କମ୍ ନୁହଁନ୍ତି ବୋଲି ପ୍ରମାଣିତ କରିଛନ୍ତି ସଞିତା ଓ ମିତାଲି ।