ଯୁବଚାଷୀଙ୍କ ନିଆରା ପ୍ରୟାସ । ଏକର ଏକର ଜମିରେ କରିଛନ୍ତି ଡ୍ରାଗନ୍ ଫ୍ରୁଟ୍ ଚାଷକରି ପାଉଛନ୍ତି ଭଲ ରୋଜଗାର

229

କନକ ବ୍ୟୁରୋ : ଏକର ଏକର ଜମିରେ ଫଳିଛି ଡ୍ରାଗନ ଫ୍ରୁଟ୍ ଫଳ । ସିମେଂଟ ଖୁଂଟ ସାହାରାରେ ଲାଗିଥିବା ଏହି ଗଛରେ ମଧ୍ୟ ପ୍ରଚୁର ପରିମାଣର ଫଳ ଫଳିଛି । ଫୁଲ ଫଳ ଭରା ଏହି କ୍ଷେତକୁ ଯିଏ ଦେଖିବ ଘଡ଼ିଏ ଅଟକିଯିବ ନିଶ୍ଚୟ । ଏମିତି କିଛି ଚାଷ କରି ନିଜ ଅଂଚଳରେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗୋପପୁର ଗାଁର ଯୁବଚାଷୀ ଅଜିତ କୁମାର ମହାନ୍ତ । ଅଜିତ ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଚାକିରି ପଛରେ ନପଡ଼ି ଚାଷ କାମକୁ ଆପଣାଇଛନ୍ତି । ଚାଷକୁ ନିଜର ପେଶା ଆଉ ନିଶା ଭାବେ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ବାଙ୍ଗାଲୋରରେ ଏକ ହେଲଥକେୟାର କମ୍ପାନୀରେ ମୋଟା ଅଙ୍କର ଦରମା ପାଇ ଚାକିରି କରୁଥିଲେ । ଆଉ ଚାକିରି ଛାଡ଼ି ଏବେ ୫୦ ଏକର ପରିମିତ ଜାଗାରେ ଚାଷ କାମ ଆରମ୍ଭ କରିଛନ୍ତି । ଏହି କ୍ଷେତରୁ ସେ ପାଖାପାଖି ୪ରୁ ୫ କୁଇଂଟାଲ ଫଳ ଅମଳ କରିସାରିଲେଣି । ଦୁଇ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଚାଷ ତାଙ୍କୁ ଭଲ ଲାଭ ଦେଉଛି । ଆଗକୁ ଭଲ ଅମଳ ହେବାର ସେ ଆଶା ରଖିଛନ୍ତି ।

ଖାଲି ଡ୍ରାଗନ ଫ୍ରୁଟ୍ ନୁହେଁ ଆପଲ ବେରି ଭଳି ୪ପ୍ରକାରର ବରକୋଳି ଚାଷ ମଧ୍ୟ ସେ କରିଛନ୍ତି । ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଚାଷ ଏବେ ତାଙ୍କୁ ଭଲ ରୋଜଗାର ଦେଉଛି ।ଏହି କୋଳିର ଚାହିଦା ବଜାରରେ ଭଲ ରହିଥିବାରୁ ଚଳିତ ବର୍ଷ ଆହୁରି ଅଧିକ ଗଛ ରୋପଣ କରିଛନ୍ତି ଯୁବ ଚାଷୀ ଅଜିତ୍ । ସେ ନିଜେ ଏହି ଚାଷ କରିବା ସହ ସ୍ଥାନୀୟ ଅଂଚଳର ଯୁବକଙ୍କୁ ଏଭଳି ଚାଷ କରିବା ପାଇଁ ତାଲିମ ଦେଉଛନ୍ତି । ନିଜେ ରୋଜଗାର କରିବା ସହ ଅନ୍ୟମାନେ ଏଭଳି ଚାଷ କରି ଲାଭବାନ ହେବା ପାଇଁ ପ୍ରେରଣା ଦେଉଛନ୍ତି ।

ଡ୍ରାଗନ ଫ୍ରୁଟ୍ ଏକ ଟ୍ରପିକାଲ ଫଳ । ଏଥିରେ କ୍ୟାଲୋରି କମ୍ ଥିବା ବେଳେ ଫାଇବର ଏବଂ ଆଂଟି ଅକ୍ସିଡାଂଟ ଭରପୁର ମାତ୍ରାରେ ଅଧିକ ରହିଥାଏ । କ୍ୱିବି ଫ୍ରୁଟ ଭଳି ସ୍ୱାଦ ଥିବା ଏହି ଫଳର ବଜାରରେ ବି ବେଶ ଚାହିଦା ରହିଛି । ବଜାରରେ ଏହାର ଦାମ୍ ମଧ୍ୟ ଅଧିକ ରହୁଥିବାରୁ ଚାଷୀଙ୍କୁ ଭଲ ଲାଭ ମିଳୁଛି ।