ତାରିଖ ଘୋଷଣା ପରେ ତତ୍ପର ହେଲା ପ୍ରଶାସନ । ସାରା ରାଜ୍ୟରେ ଲାଗୁ ହେଲା ଆଦର୍ଶ ଆଚରଣ । ଅବାଧ ଶାନ୍ତିପୂର୍ଣ୍ଣ ନିର୍ବାଚନ ନେଇ ଆଲୋଚନା

118

କନକ ବ୍ୟୁରୋ: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଘୋଷଣା ପରେ, ତତ୍ପର ହୋଇଛି ପ୍ରଶାସନ । ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ପୋଲିସ ଏସପିଙ୍କୁ ଚିଠି କରି ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ପ୍ରଥମେ ବିଭିନ୍ନ ସରକାରୀ ବିଜ୍ଞାପନ ଓ ହୋର୍ଡିଂଙ୍କୁ ହଟାଇଛି ପ୍ରଶାସନ । ତେବେ ଯେଉଁ ସ୍ଥାନରେ ସ୍ଥାୟୀ ହୋର୍ଡିଂ ଲାଗିଛି, ସେହି ସବୁ ସ୍ଥାନକୁ ଧଳା କପଡାରେ ଘୋଡାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।

  • ତାରିଖ ଘୋଷଣା ପରେ ପ୍ରଶାସନ ତତ୍ପର
  • ନିର୍ବାଚନ ପ୍ରସ୍ତୁତି ଆରମ୍ଭ କଲେ ଜିଲ୍ଲା ପ୍ରଶାସନ

ତେବେ ନିର୍ବାଚନ କମିଶନର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତି । ଏଥିସହ ସାରାଦେଶରେ ଲାଗୁ ହୋଇଛି, ଆଦର୍ଶ ଆଚରଣ ବିଧି । ତାରିଖ ଘୋଷଣା ପରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ଶେଷ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ । ତେଣୁ ଏହାକୁ ନଜରରେ ରଖି, ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

ଜିଲ୍ଲାପାଳମାନେ ଜିଲ୍ଲାର ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ ପାଳନ କରିବା ସହିତ ସମସ୍ତ ଦଳ ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ, ଆଦର୍ଶ ଆଚରଣ ବିଧି ଲାଗୁ ହେବା ନେଇ ସମସ୍ତଙ୍କୁ ସୂଚନା ଦେଇଛନ୍ତି । ତେବେ ନିର୍ବାଚନକୁ ପ୍ରଶାସନ କିପରି ନିରପେକ୍ଷ ଓ ଅବାଧରେ ପରିଚାଳନା କରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।