ମେଣ୍ଟ ଚର୍ଚ୍ଚା ଭିତରେ ଟିକେଟ ପାଇଁ ନେତାଙ୍କ କସରତ । ହେଭିୱେଟଙ୍କୁ ଭେଟି କରୁଛନ୍ତି ଲବି । ସେପଟେ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱରେ ନେତା

275

କନକ ବ୍ୟୁରୋ: ବିଜେପିର ଟିକେଟ୍ କସରତ । ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ଭିଡ । ପ୍ରାର୍ଥୀ ତାଲିକା ପ୍ରସ୍ତୁତିକୁ ନେଇ ଘନଘନ ବୈଠକ । ତେବେ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ନିର୍ବାଚନ ପାଇଁ ଦଳ ପୂର୍ଣ୍ଣ ପ୍ରସ୍ତୁତି ଥିବା ଦମ୍ଭୋକ୍ତି କରିଛନ୍ତି ନେତା ।

  • ଟିକେଟ ପାଇଁ କସରତ
  • ବିଜେପି ଅଫିସରେ ନେତା-କର୍ମୀଙ୍କ ଭିଡ

ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେଇଛି । ହେଲେ ବିଜେଡି-ବିଜେପି ମେଣ୍ଟ ନେଇ ଏବେ ବି ଦ୍ୱନ୍ଦ୍ୱ ଜାରି ରହିଥିଲେ ବି, ଟିକେଟ ପାଇଁ ବିଜେପିରେ ଚାଲିଛି କସରତ । ବିଜେପି ନେତା ପୂରା ଦମ୍ଭର ସହ କହିଛନ୍ତି ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି । ସମ୍ଭାବ୍ୟ ତାଲିକା ତିଆରି ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ନିର୍ବାଚନ କମିଟି ବୈଠକରେ ନିର୍ବାଚନ ପାଇଁ ପ୍ରାର୍ଥୀ ଓ ରଣନୀତି ଚୂଡାନ୍ତ ହୋଇଛି । କୁହାଯାଉଛି…

  • ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ
  • ସମ୍ଭାବ୍ୟ ତାଲିକା କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯିବ
  • ନିର୍ବାଚନ ରଣନୀତି ନେଇ ବି ଆଲୋଚନା ହୋଇଛି

ସୂଚନା ଅନୁସାରେ, ଚୂଡାନ୍ତ ହୋଇଥିବା ତାଲିକା ଖୁବଶୀଘ୍ର ଦିଲ୍ଲୀ ଯିବ । ଆଉ କେନ୍ଦ୍ରୀୟ ସଂସଦୀୟ କମିଟିର ମୋହର ବାଜିବା ପରେ ପ୍ରାର୍ଥୀ ଘୋଷଣା ହେବ । କୁହାଯାଉଛି, ବିଜେପିର ତୃତୀୟ ତାଲିକାରେ ଓଡିଶାର ନାଁ ଆସିପାରେ ।

  • ବିଜେଡିର ବି ଦମ୍ଭୋକ୍ତି
  • ପ୍ରାର୍ଥୀ ନେଇ ଠିକଣା ସମୟରେ ନିଷ୍ପତ୍ତି

ସେପଟେ ତାରିଖ ଘୋଷଣା ପରେ ବିଜେଡି ଶିବିର ବି ଚଳଚଞ୍ଚଳ ହୋଇଛି । ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି , ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ । ପ୍ରାର୍ଥୀ ନେଇ ଠିକଣା ସମୟରେ ନିଷ୍ପତି ନିଆଯିବ । ଷଷ୍ଠଥର ଜିତି ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ । ବିଜେଡି ବଡ ଦଳ ହୋଇଥିବାରୁ ଆଶାୟୀ ଅଧିକ ଅଛନ୍ତି । ଅନ୍ୟପଟେ ରାଜ୍ୟ କଂଗ୍ରେସ ବି ଏଥର ୮୦ ଭାଗ ଯୁବକ ଯୁବତୀଙ୍କୁ ଟିକେଟ ଦେବ ବୋଲି ସଙ୍କେତ ଦେଇଛି । ଖୁବଶୀଘ୍ର ଟିକେଟ ଘୋଷଣା ହେବ ବୋଲି କହିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ ।

ସୂଚନାଯୋଗ୍ୟ ଯେ, ମେ ୧୩ ତାରିଖରେ ରାଜ୍ୟରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ । ତେଣୁ ପ୍ରମୁଖ ରାଜନୈତିକ ଦଳ ଆସନ୍ତା ସପ୍ତାହରେ ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।