ଯାଜପୁରରେ ମନରେଗା କାର୍ଯ୍ୟ ନକରି ସରପଞ୍ଚ ଓ ସରକାରୀ କର୍ମଚାରୀ ଚଳୁ କରିଦେଲେ ଲକ୍ଷାଧିକ ଟଙ୍କା । ଜାଲ୍ ଜବକାର୍ଡ କରି ଉଠାଇନେଲେ ୪ଲକ୍ଷ ଟଙ୍କା ।

138

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ମନରେଗା କାର୍ଯ୍ୟ ନକରି ଚଳୁ ହୋଇଛି ୪ ଲକ୍ଷ ଟଙ୍କା । ଦୁଇଟି ସ୍ଥାନରେ କାର୍ଯ୍ୟ ହୋଇଥିବା ଦର୍ଶାଇ ଜାଲି ଜବକାର୍ଡ ମାଧ୍ୟମରେ ଅର୍ଥ ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତର ସମବାୟ ସମିତି କାର୍ଯ୍ୟାଳୟ ପଡିଆ ଏବଂ ବିହିପୁର ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆ ଉନ୍ନତିକରଣ ନାଁରେ ୪ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି ଏବଂ ଏଥିରେ ସ୍ଥାନୀୟ ସରପଞ୍ଚ ଓ ସରକାରୀ କର୍ମଚାରୀ ସମ୍ପୃକ୍ତ ଥିବା ଗାଁ ଲୋକେ କହିଛନ୍ତି।

ଏପରିକି କୌଣସି ସ୍ଥାନରେ ମାଟି ମୁଠାଏ ପଡିନଥିବା ବେଳେ କେବଳ ଫଳକ ଲଗାଇ ଲୁଟିନେଇଛନ୍ତି ମନରେଗା ଟଙ୍କା । ହେଲେ କାମ କରାଯାଇଛି ବୋଲି ଦର୍ଶାଯାଇଥିବା ସ୍ଥାନରେ ଜମିରହିଛି ପାଣି କାଦୁଅ । ମନରେଗା ଯୋଜନାରେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି କିନ୍ତୁ ନାଏବ ସରପଞ୍ଚ, ସରପଞ୍ଚ ଓ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ନାଁରେ ମିଛ ଜବକାର୍ଡ ପ୍ରଦାନ କରାଯାଇ ଲୁଟି ନିଆଯାଉଛି ସରକାରୀ ଟଙ୍କା । ସେପଟେ ଏନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରୁ ଖୁବଶୀଘ୍ର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।