ନଳକୂପରୁ ବାହାରୁନି ପିଇବା ପାଣି, ନାଳପାଣି ହିଁ ଶେଷ ଭରସା । କଟକ ଜିଲ୍ଲା ଆଠଗଡର ରାଜବଲ୍ଲବ ଗାଁରେ ପାଣି ପାଇଁ ଡହଳବିକଳ ଲୋକେ ।

68

କନକ ବ୍ୟୁରୋ: ସାଧାରଣ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ବସୁଧା ଜଳ ଯୋଗାଣ ପ୍ରକଳ୍ପ ଓ ସ୍ୱଜଳଧାରା ଜରିଆରେ ଗାଁ ଗୁଡିକୁ ପିଇବା ପାଣି ଯୋଗାଣ ହେଉଛି । ହେଲେ ଏବେବି ଆମ ରାଜ୍ୟରେ ଏମିତି ଅନେକ ଗାଁ ଅଛି ଯେଉଁଠି ବିଶୁଦ୍ଧ ପିଇବା ପାଣି ସ୍ୱପ୍ନ ହୋଇରହିଛି ।

ପିଇବା ପାଣି ପାଇଁ ନାଳ ପାଣି ଭରସା । ଗାଁମୁଣ୍ଡରେ ବହି ଯାଇଥିବା ନାଳ ହିଁ ପାଲଟିଛି କଟକ ଜିଲ୍ଲା ଆଠଗଡ ବ୍ଲକର ରାଜବଲ୍ଲବ ଗାଁ ଲୋକଙ୍କ ଶେଷ ଭରସା । ଗାଁରେ ରହୁଥିବା ୫ଶହରୁ ଅଧିକ ଲୋକ ଏହି ନାଳ ପାଣି ଉପରେ ନିର୍ଭରଶୀଳ । କି ବର୍ଷା କି ଖରା, ବର୍ଷ ତମାମ ଗାଁଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଆଉ କୌଣସି ଉପାୟ ନପାଇ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।

ଗାଁରେ ରହିଛି ଗୋଟିଏ ମାତ୍ର ନଳକୂପ ରହିଛି କିନ୍ତୁ ସେଥିରୁ ମଧ୍ୟ ପିଇବା ଉପଯୋଗୀ ପାଣି ବାହାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ଏହି ନଳକୂପର ମରାମତି ମଧ୍ୟ ହୋଇପାରୁନାହିଁ । ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।