ଦିନେ ଥିଲେ କଂଗ୍ରେସର ଷ୍ଟାର ପ୍ରଚାରକ, ଏବେ ଦୁଷ୍କର୍ମ ମାମଲାରେ ବାନ୍ଧିଲା ପୋଲିସ

295

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ମାମଲା । ହେଲେ କିଛିଦିନ ହେବ ସବୁଠୁ ଅଧିକ ଦୁଷ୍କର୍ମ ମାମଲା ବାବା ଓ ମୌଲାନାଙ୍କ ନାମରେ ଆସୁଛି । ଏହି କ୍ରମରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥିବା ମିର୍ଚ୍ଚି ବାବାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରିବା ପରେ ଏହାକୁ ନେଇ ବ୍ୟାକଫୁଟରେ କଂଗ୍ରେସ ।

କଂଗ୍ରେସର ଷ୍ଟାର ପ୍ରଚାରକ ମିର୍ଚ୍ଚି ବାବାଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ଉପରେ ରହିଛି ଦୁଷ୍କର୍ମ ଭଳି ମାରାତ୍ମକ ମାମଲା । ତାଙ୍କୁ ଭୋପାଳ ପୋଲିସ ଓ ଗ୍ୱାଲିଅର କ୍ରାଇମବ୍ରାଞ୍ଚ ମିଳିତ ଭାବେ ଗିରଫ କରିଥିବା କଥା ଜଣାପଡିଛି । ମିର୍ଚ୍ଚି ବାବା ଗ୍ୱାଲିଅରର ଏକ ହୋଟେଲରେ ଥିବା ବେଳେ ମଧ୍ୟ ରାତ୍ରରେ ତାଙ୍କୁ ଗିରଫ କରାଯାଇଛି । ଏହାପରେ ତାଙ୍କୁ ଭୋପାଳ ଅଣାଯାଇଥିବା କଥା କୁହାଯାଉଛି । ଏହାସହ ତାଙ୍କ ଉପରେ ଭାରତୀୟ ଆଇନର ଧାରା ୩୭୬ ମୁତାବକ ମାମଲା ରୁଜୁ କରାଯାଇଛି ।

ତାଙ୍କ ଉପରେ ଅଭିଯୋଗ ରହିଛି କି ନିସନ୍ତାନ ମହିଳାଙ୍କୁ ସନ୍ତାନ ଜନ୍ମ କରିବାର ବିଶ୍ୱାସ ଜାଗ୍ରତ କରି ସେମାନଙ୍କ ସହ ଦୁଷ୍କର୍ମ କରୁଥିଲେ । ଏନେଇ କିଛିଦିନ ହେବ ତାଙ୍କ ନାମରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏଭଳି ଅଭିଯୋଗ ପାଇବା ପରେ ଭୋପାଳ ପୋଲିସ ଓ ଗ୍ୱାଲିଅର କ୍ରାଇମବ୍ରାଞ୍ଚ ବାବାଙ୍କୁ ଗିରଫ କରିବାକୁ ଖୋଜା ଖୋଜି ଆରମ୍ଭ କରିଥିଲା । ଶେଷରେ ତାଙ୍କୁ ଗ୍ୱାଲିଅରର ଏକ ହୋଟେଲରୁ ଗିରଫ କରାଯାଇଛି ।