ବଦଳିଲା ମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁର ମୋଡ: ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଲା ପରିବାର

203

କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । କାରଣ ପୁଅର ଆତ୍ମହତ୍ୟାକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ମୃତ ଲଳିତଙ୍କ ବାପା ବେଲାର୍ସେନ ସାହୁ । ଏପରିକି କିଛି ବିଜେପି ନେତା ତାଙ୍କୁ ଗଭୀର ମାନସିକ ଚାପ ଦେଉଥିବା ଅଭିଯୋଗ କରି ଝାରସୁଗୁଡା ଟାଉନ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ମାନସିକ ଚାପ ଫଳରେ ପରିବାରର କେହି ସଦସ୍ୟ ଆତ୍ମହତ୍ୟା କଲେ ଏହି ନେତାମାନେ ଦାୟୀ ରହିବେ ବୋଲି ଏତଲାରେ ଦର୍ଶାଇଛନ୍ତି । ଏତଲାରେ କୁହାଯାଇଛି, ଲଳିତ ଅବାଟରେ ଯାଇ ମାନସିକ ଚାପରେ ରହୁଥିଲେ ଓ ଶେଷରେ ଆତ୍ମହତ୍ୟା କରିଦେଲେ । ଏଭଳି ନେତାଙ୍କଠାରୁ ସୁରକ୍ଷା ଯୋଗାଇ ଦେବାପାଇଁ ମଧ୍ୟ ଅନୁରୋଧ କରାଯାଇଛି ।

ଲଳିତଙ୍କ ମୃତଦେହକୁ ରାତିଅଧିଆ ବ୍ୟବଚ୍ଛେଦ ନେଇ ବି ଏତଲାରେ ସ୍ପଷ୍ଟ କରିଛନ୍ତି ମୃତକଙ୍କ ବାପା । ବଡପୁଅ ବିରଂଚି ସାହୁ ରାତିରେ ଶବ ବ୍ୟବଚ୍ଛେଦ କରିବାକୁ ଝାରସୁଗୁଡା ପୋଲିସ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ତେଣୁ ଖରାଦିନେ ଶବ ନଷ୍ଟ ହୋଇଯିବା ଆଶଙ୍କାରେ ରାତାରାତି ଶବ ବ୍ୟବଚ୍ଛେଦ କରାଗଲା । ଏଥିପାଇଁ ମୃତକଙ୍କ ପରିବାର ସଦସ୍ୟଙ୍କ ସମ୍ମତି ରହିଥିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ମୃତଦେହ ବ୍ୟବଛେଦ କରାଗଲା ବୋଲି କହିଛନ୍ତି ଅତିରିକ୍ତ ଏସପି ।

ସେପଟେ ଏହି ଘଟଣାରେ ଝାରୁସୁଗୁଡାରେ ବିଜେପି ଆନ୍ଦୋଳନକୁ ଜୋରଦାର କରିଛି । ଏସପି ଅଫିସ ଘେରାଉ କରିଛନ୍ତି ବିଜେପି ନେତା । ଦଳର ଅଭିଯୋଗ ହେଲା, ଏକ ମାମଲା ରୁଜୁ କରି ପୁଲିସ ଚୁପ ବସିପଡିଛି । ତେଣୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଦଳ ।