ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ରୋକିବାକୁ ପଦକ୍ଷେପ: ପ୍ରଥମଥର ରାଜ୍ୟରେ ହାତୀ ପାଇଁ ହେବ ଓଭରପାସ୍

103

କନକ ବ୍ୟୁରୋ: ରେଳ ଧାରଣା ପାର ହେଉଥିବାବେଳେ ଅନେକ ସମୟରେ ଟ୍ରେନ ଧକାରେ ହାତୀଙ୍କ ମୃତ୍ୟୁ ହେଉଥିବା ଖବର ଆସିଥାଏ । ଏହାକୁ ରୋକିବା ପାଇଁ ଏବେ ରାଜ୍ୟରେ ପ୍ରଥମ ଥର ପାଇଁ ରେଳ ଧାରଣା ଉପରେ ନିର୍ମାଣ ହେବ ଓଭରପାସ । ଯେଉଁ ବାଟ ଦେଇ ହାତୀ ସହ ଅନ୍ୟ ବନ୍ୟ ଜନ୍ତୁ ରେଳ ଧାରଣା ସୁରକ୍ଷିତ ଭାବରେ ପାର ହୋଇପାରିବେ । ଢ଼େଙ୍କାନାଳ କପିଳାସ ଅଭୟାରଣ୍ୟ ଅନ୍ତର୍ଗତ ରାଜଆଠଗଡ ଷ୍ଟେସନଠାରୁ କପିଳାସ ରୋଡ ଷ୍ଟେସନ ଭିତରେ ଏହି ଓଭରପାସ ନିର୍ମାଣ ଲାଗି ଯୋଜନା କରିଛି ବନବିଭାଗ ।

ତେଣୁ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ରୋକିବାକୁ ଜଙ୍ଗଲ ବିଭାଗ ଓ ପୂର୍ବତଟ ରେଳପଥ ପକ୍ଷରୁ ପଦକ୍ଷେପ ନିଆଯାଉଛି । ପ୍ରଥମ ଥର ପାଇଁ ରାଜ୍ୟରେ ହାତୀପଲଙ୍କ ସୁରକ୍ଷିତ ଯାତାୟତ ପାଇଁ ତିଆରି ହେବାକୁ ଯାଉଛି ଓଭର ପାସ । ରେଳ ଧାରଣାରେ ହେବାକୁ ଥିବା ଓଭର ପାସର ଏ ହେଉଛି ପ୍ରତୀକାତ୍ମକ ଚିତ୍ର । ଢେଙ୍କାନାଳ ଜିଲ୍ଲା କପିଳାସ ବନଖଣ୍ଡ ଦେଇ ଯାଇଥିବା ରେଳ ଧାରଣା ଉପରେ ୧୦୦ ମିଟର ଚଉଡାର ଓଭର ପାସ୍ ତିଆରି କରାଯିବ । ନ୍ୟାନସାଲ ବୋର୍ଡ ଫର ୱାଇଲ୍ଡ ଲାଇଫ୍ ପକ୍ଷରୁ ଅନୁମତି ପରେ ଖୁବ ଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି, ରେଳ ବିଭାଗ ସର୍ଭେ ମଧ୍ୟ କରିସାରିଛି । ଓଭର ପାସ୍ ନିର୍ମାଣ ହେଲେ ରେଳଧକ୍କାରେ ହେଉଥିବା ହାତୀମୃତ୍ୟୁକୁ ରୋକିହେବ ।

ଢେଙ୍କାନାଳର କପିଳାସ ବନଖଣ୍ଡରୁ ଆଠଗଡ ବନଖଣ୍ଡକୁ ହାତୀଙ୍କ ଯାତାୟତ ପାଇଁ ଓଭର ପାସ ତିଆରି ହେବ । କପିଳାସ ବନଖଣ୍ଡର ଆଠଗଡ ଷ୍ଟେସନ ଠାରୁ ଯୋରୋନ୍ଦା ରୋଡ ଷ୍ଟେସନ ମଧ୍ୟରେ ଏହି ଓଭର ପାସ ତିଆରି ହେବ ।

ପ୍ରାୟ ଶହେ ମିଟର ଚଉଡାର ଏହି ଓଭର ପାସ୍ରେ ଥରକରେ ୩୫ରୁ ୩୦ ହାତୀ ରାସ୍ତା ପାର ହୋଇ ପାରିବେ । ପ୍ରଥମେ କଂକ୍ରିଟର ଏକ ଢାଂଚା ନିର୍ମାଣ କରାଯିବ । ଏହା ଉପରେ ମାଟିଦେଇ ଜଙ୍ଗଲ ଭଳି ପରିବେଶ ପ୍ରସ୍ତୁତ କରାଯିବ । ଯେଉଁ ରାସ୍ତା ଦେଇ ହାତୀ ସହ ଅନ୍ୟ ବନ୍ୟଜନ୍ତୁ ରେଳଧାରଣାକୁ ସହଜରେ ଅତିକ୍ରମ କରିପାରିବେ । ସେଇ ନିର୍ଦ୍ଦିଷ୍ଟ ପଥ ଦେଇ ଯେମିତି ହାତୀ ଯିବାଆସିବା କରିବେ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବନ୍ଦୋବସ୍ତ ହେବ ।

ହାତୀପାଇଁ ହେବାକୁ ଥିବା ଓଭରପାସର ଆଖପାଖ ଅଂଚଳରେ ପ୍ରାୟ ଦେଢ କିଲୋମିଟର ଯାଏଁ ବ୍ୟାରିକେଡ କରି ଟ୍ରେନଲାଇନକୁ ସୁରକ୍ଷିତ କରାଯିବ । ଅର୍ଥାତ ହାତୀ ବିପଦସଙ୍କୁଳ ଭାବେ ରେଳଧାରଣା ପାର ନ ହୋଇ ଏହି ନିଦ୍ଧିଷ୍ଟପଥ ଦେଇ ରେଳଧାରଣାକୁ ଅତିକ୍ରମ କରିବେ ।