ଭୁବନେଶ୍ୱରରୁ ଶିଶୁ ଚୋରି ଉଦ୍ୟମ ପଣ୍ଡ: ସୁରକ୍ଷିତ ଉଦ୍ଧାର ଶିଶୁ, ଧରାପଡିଲା ଅଭିଯୁକ୍ତ

195

କନକ ବ୍ୟୁରୋ: ରାଜ୍ୟରେ ପ୍ରତ୍ୟକ ବର୍ଷ ପ୍ରାୟ ୩ ରୁ ୪ହଜାର ଶିଶୁ ନିଖୋଜ ହେଉଥିବା ଅଭିଯୋଗ ହୁଏ । କିନ୍ତୁ ସେମାନଙ୍କ ମଧ୍ୟରେ ବହୁ କମ୍ ସଂଖ୍ୟାରେ ଶିଶୁ ସୁରକ୍ଷିତ ଉଦ୍ଧାର ହୋଇଥାନ୍ତି । ହେଲେ, ଭୁବନେଶ୍ୱରରୁ ପାଂଚଦିନ ତଳେ ଚୋରି ହୋଇଥିବା ଜଣେ ୪ବର୍ଷର ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଛି ଇନଫୋସିଟି ଥାନା ପୁଲିସ । ସିସିଟିଭିରେ କଏଦ ହୋଇଥିବା ଫୁଟେଜକୁ ଆଧାର କରି ତଦନ୍ତ କରିବା ପରେ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛି ପୁଲିସ । ଆଉ ବର୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କହିଛି ପୋଲିସ ।

ଶିଶୁକୁ ଚୋରି କରି ନେଉଥିବାବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଆଉ ଏହି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସୂଚନା ଅନୁସାରେ ଶିଶୁକୁ ଚୋରି କରି ନେଉଥିବା ଏହି ଅଭିଯୁକ୍ତ ଜଣଙ୍କ ରଙ୍ଗମିସ୍ତ୍ରୀ ଭାବରେ କାମ କରୁଥିଲେ । ସେ ପୂର୍ବରୁ ଏହି ବସ୍ତିକୁ ନିୟମିତ ଯିବା ଆସିବା କରୁଥିଲେ । ଯାହାର ସୁଯୋଗ ନେଇ ଶନିବାର ପିଲାଟିକୁ ଉଠାଇ ନେଇ ଚନ୍ଦ୍ରଶେଖରପୁର ଅଂଚଳରେ ଲୁଚାଇ ରଖିଥିଲେ ।

ଗତ ୧୬ ତାରିଖରେ ଜଣେ ୪ ବର୍ଷର ଶିଶୁ ନିଖୋଜ ହେବା ନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ଆଧାରରେ ଥାନା ଆଇଆଇସିଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ଘଟଣାର ଛାନଭିନ୍ କରିଥିଲା । ତେବେ ଅଭିଯୁକ୍ତ କାହିଁକି ଶିଶୁଟିକୁ ଅପହରଣ କରିଥିଲେ, ତାହା ଜଣାପଡ଼ିନାହିଁ ।