କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ । ଏଠାରେ ପ୍ରଥମ ଥର ପାଇଁ ହିନ୍ଦି ମିଡିୟମର ଏମବିବିଏସର ପାଠ୍ୟ ପୁସ୍ତକ ଲୋକାର୍ପଣ ହେବାକୁ ଯାଉଛି । ଗୃହମନ୍ତ୍ରୀ ଅମିତ ଶାହା ଏହି ପୁସ୍ତକର ଲୋକାର୍ପଣ କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ମଧ୍ୟପ୍ରଦେଶରେ ଏବେ ହିନ୍ଦୀ ମାଧ୍ୟମରେ ମଧ୍ୟ ଚିକିତ୍ସା ବିଜ୍ଞାନ ପଢାଯିବ । ସରକାର ଚାହୁଁଛନ୍ତି ଯେ ହିନ୍ଦୀ ମାଧ୍ୟମରେ ଅଧ୍ୟୟନ କରୁଥିବା ଛାତ୍ରମାନେ ମଧ୍ୟ ସେମାନଙ୍କ ଭାଷାରେ ଡାକ୍ତରୀ ଶିକ୍ଷା ପାଇପାରିବେ। ରାଜ୍ୟ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି ଯେ ଶରୀର ବିଜ୍ଞାନ, ଜୈବ ରସାୟନ ବିଜ୍ଞାନ ଏବଂ ଶାରୀରିକ ଗଠନ ଭଳି ବିଷୟ ପାଇଁ ହିନ୍ଦୀ ପୁସ୍ତକ ପ୍ରସ୍ତୁତ କରାଯାଇଛି। ଏମବିବିଏସର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରମାନଙ୍କୁ ହିନ୍ଦୀ ମାଧ୍ୟମର ଏହି ପୁସ୍ତକ ଦିଆଯିବ । ତିନୋଟି ଯାକ ବିଷୟର ପୁସ୍ତକ ସେମାନଙ୍କର ବିଶେଷଜ୍ଞ ଦଳ ଦ୍ୱାରା ପ୍ରସ୍ତୁତ କରାଯାଇଛି ।ଏହି ପୁସ୍ତକଗୁଡ଼ିକର ଦ୍ୱିତୀୟ ଖଣ୍ଡ ଶୀଘ୍ର ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏନେଇ ଖୁସି ବ୍ୟକ୍ତ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଚୌହାନ କହିଛନ୍ତି ଯେ, ‘ସବୁଠାରୁ ଖୁସିର ବିଷୟ ହେଉଛି ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ମେଡିକାଲ ପାଠ୍ୟକ୍ରମ ହିନ୍ଦି ଭାଷାରେ ପଢାଯିବ । ଯେତେବେଳେ ଦୁନିଆଁର ସବୁ ଦେଶରେ ନିଜ ନିଜ ଭାଷାରେ ମେଡିକାଲ କୋର୍ସ ପଢାଯାଉଛି ତାହେଲେ ଆମେ କାହିଁକି ଇଂରାଜୀରେ ପଢିବୁ? ଆମ ଦେଶରେ ଗରୀବ, ମଧ୍ୟବିତ୍ତ ପରିବାରର ପିଲାମାନେ , ଯେଉଁମାନେ ଇଂରାଜୀ ମିଡିୟମରେ ପଢିନାହାଁନ୍ତି, ସେମାନେ ଇଂରାଜୀରେ ଏହି ପାଠ୍ୟକ୍ରମ ପଢିବାକୁ ସମସ୍ୟା ଭୋଗୁଛନ୍ତି । ସେମାନଙ୍କ ଭିତରେ ପ୍ରତିଭା ଥାଇ ବି ସେମାନେ ଇଂରାଜୀ ଭାଷା ଯୋଗୁଁ ନିଜ ଭିତରେ ଏକ ପ୍ରକାର ନ୍ୟୁନ ଭାବ ପୋଷଣ କରୁଛନ୍ତି । ଏହାପରେ ପରେ ଇଞ୍ଚିନିୟରିଙ୍ଗ ଓ ଅନ୍ୟ ବିଷୟ ବସ୍ତୁକୁ ମଧ୍ୟ ଜାତୀୟ ଭାଷାରେ ହିନ୍ଦିରେ ପଢାଯିବା ଉପରେ ଗୁରୁତ୍ୱ ଦିଆଯିବ । ଏହାସହ ପିଲାମାନଙ୍କ ମନରେ ଇଂରାଜୀକୁ ନେଇ ଯେଉଁ ଧାରଣା ଅଛି ଯେ, ଆଗକୁ ବଢିବାକୁ ହେଲେ ଇଂରାଜୀରେ ଦକ୍ଷତା ରହିବା ନିହାତି ଜରୁରି ତାକୁ ଦୂରେଇବାକୁ ଆମେ ସତତ ଚେଷ୍ଟା କରିବୁ’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ।