ବିଜେଡି ଫୋକସରେ ମୟୂରଭଞ୍ଜ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବିଜେପିକୁ ଚେକ୍ ଦେବାକୁ ବିଜେଡିର ରଣନୀତି ।

208

କନକ ବ୍ୟୁରୋ: ବିଜେଡି ଓ ବିଜେପିର ଫୋକସରେ ମୟୂରଭଞ୍ଜ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜରେ ସମରସଜ୍ଜା ଆରମ୍ଭ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ୨୦୨୪ରେ ମୟୂରଭଞ୍ଜରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଥିବା ବେଳେ ଏହାକୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଆସନ୍ତା ୧୨ ତାରିଖରେ ମୟୂରଭଞ୍ଜ ଗସ୍ତରେ ଯିବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଜିଲ୍ଲା ବିଜେଡି ଶିବିର ଚଳଚଞ୍ଚଳ ହୋଇଛି ।

  • ମୟୁରଭଞ୍ଜ ହେବ ରାଜନୈତିକ ହଟସ୍ପଟ
  • ୨୦୨୪ ପାଇଁ ବିଜେଡିର ସମରସଜ୍ଜା

ମୟୁରଭଞ୍ଜ ବର୍ତମାନ ଦେଶର ଚର୍ଚ୍ଚିତ ସ୍ଥାନ, ଯାହାକୁ ନେଇ ବର୍ତମାନ ଅନେକ ରାଜନୈତକ ଚର୍ଚ୍ଚା କରାଯାଉଛି । କେନ୍ଦ୍ରୀୟ ବିଜେପି ମୟୁରଭଞ୍ଜର ଆଦିବାସୀ ଚେହେରା ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଆସନରେ ବସାଇ ଆଦିବାସୀ ଭୋଟକୁ ଫୋକସ କରିଛି । ତେଣୁ ମୟୁରଭଞ୍ଜରୁ ବିଜେପିର ରାଜନୈତିକ ଅଭିଯାନ ଆରମ୍ଭ କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା କରାଯାଉଛି । ତେଣୁ ବିଜେପିର ରଣନୀତିକୁ ଚେକ୍ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଆସନ୍ତା ୧୨ ତାରିଖରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୟ୍ରୁରଭଞ୍ଜ ମୈଦାନକୁ ଓହ୍ଲାଇ ୨୦୨୪ ନିର୍ବାଚନର ବିଗୁଲ ବଜାଇବେ । ଯଦିଓପି ଏହା ତାଙ୍କର ସରକାରୀ କାର୍ଯ୍ୟକ୍ରମ , ତଥାପି ଦଳୀୟ ନେତା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଏଥିପାଇଁ ଦଳ ପକ୍ଷରୁ ସମରସଜ୍ଜା ଆରମ୍ଭ ହୋଇଛି ।

୨୦୧୯ରେ ମୟୁରଭଞ୍ଜରେ ବିଜେପିର ପ୍ରଦର୍ଶନ ଭଲ ଥିଲା । ଏହି ଲୋକସଭା ଆସନରୁ ବିଜେପିର ବିଶ୍ୱେଶ୍ୱର ଟୁଡୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ।

  • -ଜିଲ୍ଲାର ୯ଟି ବିଧାନସଭା ଆସନରୁ ୬ଟି ଆସନରେ ବିଜେପି ବିଜୟୀ ହୋଇଥିଲା
    -୨୦୨୨ ପୌର ଓ ପଞ୍ଚାୟତ ନିର୍ବାଚନରେ ମାଟି କାମୁଡିଛି ବିଜେପି
    -୨୦୧୭ରେ ୪୯ଟି ଜିଲ୍ଲା ପରିଷଦ ଆସନ ଆକ୍ତିଆର କରିଥିବା ବେଳେ ୨୦୨୨ରେ ଖାତା ଖୋଲିପାରିନି ଦଳ
    -୫୩ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୫୩ଟିରେ ବିଜୟୀ ହୋଇ ଜିଲ୍ଲାପରିଷଦ ଆସନ ଅକ୍ତିଆର କରିଛି
    -୨ ମ୍ୟୁନିସିପାଲଟି ଓ ୨ ଏନଏସିରୁ କେବଳ ଉଦଳା ଏନଏସିରେରେ ବିଜେପି ଜିତିଛି

ତେବେ ଦ୍ରୌପଦୀ ମୁର୍ମୁଙ୍କୁ  ରାଷ୍ଟ୍ରପତି କରି ବିଜେପି ନୂଆ ରାଜନୈତିର ସମୀକରଣ ଲକ୍ଷ୍ୟରେ ରହିଛି । ୨୦୨୪ ନିର୍ବାଚନରେ ଏହା ଦଳକୁ ଫାଇଦା ଦେବ ବୋଲି ଦଳ ଆକଳନ କରିଛି ।
ନିର୍ବାଚନକୁ ଆଉ ଦୁଇବର୍ଷରୁ କମ ସମୟ ଥିବାବେଳେ ଏବେଠୁ ଆରମ୍ଭ ହୋଇଯାଇଛି ତାତି । ଗୋଟିଏ ପଟେ ଅମିତ ଶାହ ଦଳୀୟ କର୍ମୀଙ୍କୁ ୨୦୨୪ ପାଇଁ ପ୍ରସ୍ତୁତ ହେବାକୁ ଗୁରୁମନ୍ତ୍ର ଦେଇଛନ୍ତି । ଆଉ ମାଟିର ଝିଅକୁ ନେଇ ଫାଇଦା ଲକ୍ଷ୍ୟରେ ଅଛନ୍ତି ବିଜେଡି ଓ ବିଜେପି । ଏଥିରୁ କିଏ ଫାଇଦା ଉଠାଉଛି ଓ କିଏ ମାଟି କାମୁଡୁଛି ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ