ଦୁଷ୍କର୍ମ ମାମଲାକୁ ନେଇ ଗେହଲଟଙ୍କ ବିବାଦୀୟ ବୟାନ । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେପି ।

109

କନକ ବ୍ୟୁରୋ: ଦେଶରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଦୁଷ୍କର୍ମକୁ ନେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ବିଜେପି ତାଙ୍କୁ ଖୁବ୍ ସମାଲୋଚନା କରିଛି । ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି, ନିର୍ଭୟା କାଣ୍ଡ ପରେ ସବୁ ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଦାବି କରାଗଲା । ଯାହା ପରେ ଏସବୁ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଆଇନ୍ ଲାଗୁ ହେଲା । ଆଇନ୍ ଲାଗୁ ହେବା ଦ୍ୱାରା ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରିବା ମାମଲା ବୃଦ୍ଧି ପାଇଲା । ଏହା ଦେଶ ପାଇଁ ବହୁ ବିପଜ୍ଜନକ ବୋଲି ଗେହଲଟ୍ କହିଛନ୍ତି ।

ଗେହଲଟଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି, ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛି । ଶିଶୁକନ୍ୟା, ମୁକ ଓ ବଧିର ଶିଶୁମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ରୋକିବା ପାଇଁ ସଂସଦରେ ପ୍ରଣୟନ ହୋଇଥିବା ଆଇନ ଉପରେ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ନିଷ୍କ୍ରିୟତା ଓ ଗଣ୍ଡଗୋଳ ଯୋଗୁଁ ଆଇନଶୃଙ୍ଖଳା ଉପରୁ ନଜର ହଟୁଥିବା ବିଜେପି ଅଭିଯୋଗ କରିଛି । ନିଜର ବିଫଳତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ବିବାଦୀୟ ମନ୍ତବ୍ୟ ଦେଇ ପ୍ରସଙ୍ଗ ବଦଳାଇବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛି ବିଜେପି । ସେପଟେ ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ନିର୍ଭୟାଙ୍କ ମାଆ ।