ୱାନ ଷ୍ଟେସନ ୱାନ ପ୍ରଡ଼କ୍ଟ ଯୋଜନାରେ କଟକ ରେଳ ଷ୍ଟେସନରେ ଓରମାସ ପକ୍ଷରୁ ଖୋଲିଛି ଷ୍ଟଲ । ଷ୍ଟଲରେ ଚମକୁଛି କଟକର ରୂପା ତାରକସୀ ସାମଗ୍ରୀ ସହ ମାଣିଆବନ୍ଧ ଶାଢି ।

121

କନକ ବ୍ୟୁରୋ: କଟକ ରେଳ ଷ୍ଟେସନରେ ଖୋଲିଛି ସ୍ୱତନ୍ତ୍ର ଓରମାସ୍ ଷ୍ଟଲ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରୁଥିବା ବିଭିନ୍ନ ପ୍ରକାରର ହାତ ତିଆରି ସାମଗ୍ରୀ ଗୋଟିଏ ସ୍ଥାନରେ ପାଇବା ପାଇଁ ଏଭଳି ପ୍ରୟାସ କରାଯାଇଛି । ୱାନ ଷ୍ଟେସନ ୱାନ୍ ପ୍ରଡକ୍ଟ ଯୋଜନାରେ ଓରମାସ ପକ୍ଷରୁ ଏହି ଷ୍ଟଲ ଖୋଲିଛି । ପ୍ରଥମ ଥର ପାଇଁ କଟକର ତାରକସୀ ସାମଗ୍ରୀ ସହ ପ୍ରସିଦ୍ଧ ମାଣିଆବନ୍ଧ ଶାଢି ଷ୍ଟଲ ଷ୍ଟେସନରେ ଖୋଲିଛି । ଆଉ କାରିଗରଙ୍କୁ ବ୍ୟବସାୟର ସୁଯୋଗ ଆଣିଦେଇଛି ଓରମାସ ।

  • ଆଉ ଅସୁବିଧା ଭୋଗିବେନି ତାରକସୀ କାରିଗର
  • ରାଜ୍ୟ ତଥା ରାଜ୍ୟ ବାହାରେ ବୃଦ୍ଧି ପାଇବ ବ୍ୟବସାୟ
  • ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଯୋଜନାରେ ଖୋଲିଛି ଷ୍ଟଲ

ରେଳ ଷ୍ଟେସନରେ ଚମକୁଛି ତାରକସୀ ସାମଗ୍ରୀ । ରୂପା ତାରକସୀ କାମରେ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ନିଖୁଣ କାରୁକାର୍ଯ୍ୟ ଏହି ଷ୍ଟଲରେ ପ୍ରଦର୍ଶନ କରାଯାଇଛି । ତାରକସୀ କାମରେ ତିଆରି ହୋଇଥିବା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରଙ୍କ ପ୍ରତିମୂର୍ତି ବେଶ ଆକର୍ଷଣୀୟ ହୋଇଛି । ସେହିପରି ଅତି ସୁନ୍ଦର କାରୁକାର୍ଯ୍ୟରେ ପ୍ରସ୍ତୁତ କରାଯାଇଥିବା ବୋଇତ ମଧ୍ୟ ଦର୍ଶକଙ୍କୁ ଖୁବ୍ ଆକର୍ଷଣ କରିଛି । ଶିଳ୍ପୀଙ୍କ ନିଖୁଣ କଳାରେ ପୁରୁଣା ଐତିହାସିକ ସାମଗ୍ରୀ ବୋଇତ ସ୍ଥାନପାଇଛି । ଏହା ବ୍ୟତିତ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ରୂପା ମୁଦି, ରୂପା ପାଉଁଂଜି,ରୂପାରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ଏହି ଷ୍ଟଲରେ ପ୍ରଦର୍ଶିତ କରାଯାଇଛି । ଏହାର ଦାମ୍ ୨୦୦ ଟଙ୍କାରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରହିଛି ।

  • ତାରକସୀ କାମ ପାଇଁ ପ୍ରସିଦ୍ଧ କଟକ ସହର
  • ଷ୍ଟେସନରେ ରୂପା ‘ତାରକସୀ କାମ’ର ବ୍ୟବସାୟ

ୱାନ ଷ୍ଟେସନ ୱାନ୍ ପ୍ରଡକ୍ଟ ଯୋଜନାରେ କଟକ ରେଳ ଷ୍ଟେସନରେ ଖୋଲିଛି ଏହି ଷ୍ଟଲ । ଯେଉଁଠି କଟକର ପ୍ରସିଦ୍ଧ ତାରକସୀ ସାମଗ୍ରୀ, ଖଣ୍ଡୁଆ ପାଟ, ମାଣିଆବନ୍ଧ ଶାଢି,ଟେରାକୋଟା ଓ ଏମ୍ବ୍ରୋଡୋରୀ କାମ ସହ ବିଭିନ୍ନ ପ୍ରକାରର ହସ୍ତତନ୍ତ ସାମଗ୍ରୀ ଉପଲବ୍ଧ ହେଉଛି । ଏହାର ଉଦ୍ଦେଶ୍ୟ ହେଉଛି ରେଳ ଷ୍ଟେସନକୁ ଏକ ପ୍ରମୋସନାଲ ହବ୍ ଭାବେ ନେଇ ସ୍ଥାନୀୟ ଉତ୍ପାଦ ପ୍ରଦର୍ଶନ କରିବା । କଟକର ପ୍ରସିଦ୍ଧ ସିଲଭର ଫିଲିଗ୍ରି ହସ୍ତତନ୍ତ ଏବଂ ହ୍ୟାଣ୍ଡଲୁମ୍ ଉତ୍ପାଦ ଗୁଡ଼ିକୁ ସ୍ଥାନୀୟ କାରିଗର ମାନେ ପ୍ରସ୍ତୁତ କରି ଷ୍ଟେସନରେ ବିକ୍ରି କରିପାରିବେ । ଯାହାଦ୍ୱାରା ସ୍ଥାନୀୟ ଶିଳ୍ପର ପ୍ରଚାର ପ୍ରସାର ହୋଇପାରିବ ।

  • ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦ ପ୍ରଦର୍ଶନ
  • ହସ୍ତତନ୍ତ ଓ ହ୍ୟାଣ୍ଡଲୁମ୍ ସାମଗ୍ରୀ ବିକ୍ରୟ

ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟିର ସମନ୍ୱୟରେ କଟକ ରେଳ ଷ୍ଟେସନରେ ଏହି ଷ୍ଟଲ ଖୋଲାଯାଇଛି । ଯାତ୍ରୀମାନେ କୌଣସି ମଧ୍ୟସ୍ଥିଙ୍କୁ ଜଡ଼ିତ ନକରି ସିଧାସଳଖ କାରିଗରଙ୍କ ଠାରୁ ଏହି ଉତ୍ପାଦ କ୍ରୟ କରିପାରିବେ । କଟକର ସ୍ଥାନୀୟ କାରିଗର, କୁମ୍ଭକାର ଓ ବୁଣାକାର ମାନେ ଷ୍ଟେସନରେ ନିଜର ଷ୍ଟଲ ଖୋଲିବା ପାଇଁ ଆଗ୍ରହି ଅଛନ୍ତି । ଆଉ କିଛି ଷ୍ଟଲ ଖୋଲିଲେ ଆଗକୁ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ତାରକସୀ କାରିଗର । ଓରମାସର ଏଭଳି ପ୍ରୟାସ ଦ୍ୱାରା କଟକ ତାରକସୀ ସାମଗ୍ରୀ ଓ ମାଣିଆବନ୍ଧ ଶାଢିର ମୂଲ୍ୟ ବୃଦ୍ଧି ହେବା ସହ ରାଜ୍ୟ ବାହାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।