ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି ମହିଳା କମିଶନ । ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ମହିଳା କମିଶନ ଅଧ୍ୟକ୍ଷା ।

393

କନକ ବ୍ୟୁରୋ : ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ଯାଜପୁର ଏସପିଙ୍କ ବୟାନକୁ ନେଇ ମହିଳା କମିଶନଙ୍କ ପ୍ରଶ୍ନ । ଏହା ସହ ସ୍ମିତାରାଣୀ ମୃତ୍ୟୁ ତଦନ୍ତରେ ସେ ସନ୍ତୁଷ୍ଟ ନାହାନ୍ତି ବୋଲି କହିବା ସହ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ସୁପାରିସ କରିଛନ୍ତି ମହିଳା କମିଶନ । ଅନ୍ୟପଟେ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ମହିଳା କମିସନ ଅଫିସ ଆଗରେ ବିଜେପି ମହିଳା ମୋର୍ଚ୍ଚା କରିଛି ଆନ୍ଦୋଳନ ।

ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଏସପି କିଭଳି ତାଙ୍କର ଚରିତ୍ର ସଂହାର କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ । ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କ ଏହି ବିବୃତି ଏବେ ଯାଜପୁର ଏସପିଙ୍କ ଆଚରଣ ଓ ଉଚ୍ଚାରଣ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି । ହରିଦାସପଚର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ, ଯାଜପୁର ଏସପି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବିବୃତିକୁ ନାପସନ୍ଦ କରିବା ସହ ଓ ତଦନ୍ତ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେ ନେଇ ଦ୍ନନ୍ଦ ଥିବା କହିଛନ୍ତି ମହିଳା କମିଶନ । ଏପରିକି ଏହି ତଦନ୍ତରେ ସନ୍ତୁଷ୍ଟ ନଥିବା ମଧ୍ୟ ଦର୍ଶାଇଛନ୍ତି । ତେଣୁ କ୍ରାଇମବ୍ରାଞ୍ଚକୁ ଏ ବାବଦରେ ନିରପେକ୍ଷ ତଦନ୍ତ କରିବାକୁ ଚିଠି ଲେଖିଛନ୍ତି ମହିଳା କମିଶନ ।

ତେବେ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଜୋରଦାର ବିରୋଧ କରିଛି ବିଜେପିର ମହିଳା ମୋର୍ଚ୍ଚା । ମହିଳା କମିଶନ ଓ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଏପରିକି ଆଜି ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନଙ୍କ କାର୍ଯ୍ୟାଳୟ ଘେରିବା ସହ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲା । ପୋଲିସ ସହ ମୁହାଁମୁହିଁ ହେବା ପରେ କିଛି ମହିଳା କର୍ମୀଙ୍କ ଅଟକ ରଖିଛି କମିଶନରେଟ ପୋଲିସ । ମହିଳା କମିଶନ ଘଟଣା ଉପରେ ଘଂଟ ଘୋଡାଉଥିବା ଅଭିଯୋଗ କରିଛି ବିଜେପି ।

ଯାଜପୁର ଜିଲା ହରିଦାସପୁରରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ସରପଂଚଙ୍କ ସ୍ୱାମୀଙ୍କୁ ଗିରଫ କରି ଖୋଳତାଡ କରୁଛି ଯାଜପୁର ପୋଲିସ । କିନ୍ତୁ କେଉଁ ପରିସ୍ଥିତିରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କ କର୍ତବ୍ୟରତ ଅବସ୍ଥାରେ ମୃତ୍ୟୁ ଘଟିଲା, ତାକୁ ନେଇ ରାଜନୀତି ଥମିବାର ନାଁ ନେଉନି ।