ମହାରାଷ୍ଟ୍ରରେ ବିଳମ୍ବିତ ରାତିରେ ବଡ ବୈଠକ : ରାତିରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଘରେ ଫଡନାଭିସ ଓ ଅଜିତ ପାୱାରଙ୍କ ବୈଠକ

376

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଳମ୍ବିତ ରାତିରେ ବଡ଼ ବୈଠକ । ଏକାଠି ବୈଠକ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ରାତି ୧୨ଟାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବାସଭବନରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହାର ଘଣ୍ଟାଏ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପହଞ୍ଚିଥିଲେ । ତିନି ନେତା ଏକାଠି ବୈଠକ କରିବା ପରେ ରାତି ଗୋଟାଏ ୩୦ରେ ଅଜିତ ପାୱାର ସିନ୍ଦେଙ୍କ ବାସଭବନରୁ ବାହାରକୁ ଆସିଥିଲେ ।

ସେହିପରି ଫଡନାଭିସ ରାତି ୨ଟାରେ ବାହାରିଥିଲେ । ଅଜିତ ପାୱାର ଏବଂ ତାଙ୍କ ଗୋଷ୍ଠୀ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି । ସାମିଲ ହେବାକୁ ୮ ଦିନ ବିତିଛି । ଏବେ ବିଭାଗ ବଣ୍ଟନ ହେବାର ଅଛି । ଅଜିତ ପାୱାରଙ୍କ ଗୋଷ୍ଠୀ କିଛି ବିଭାଗ ଦାବି କରୁଥିବା ଜଣାପଡିଛି । ଯାହାକୁ ନେଇ ତିନି ଦଳ ମଧ୍ୟରେ ବୁଝମଣା ହେଉଛି । ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଜିତ ପାୱାର ଗୋଷ୍ଠୀ ସରକାରରେ ସାମିଲ ହେବା ପରେ ଶିବସେନାର ଅନେକ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସେହିପରି ବିଜେପି ବିଧାୟକଙ୍କ ମଧ୍ୟରେ ସମାନ ଅସନ୍ତୋଷ ରହିଛି । କିନ୍ତୁ ସରକାର ଏବଂ ବଡ ବଡ ନେତାଙ୍କୁ ଦେଖି ଏବେ ଅସନ୍ତୋଷ ପଦାକୁ ଆସିପାରୁନାହିଁ । ଏ ବାବଦରେ କୌଣସି ଦଳର ନେତା ଖୋଲାଖୋଲି କିଛି କହୁନାହାନ୍ତି । କିନ୍ତୁ ବିଦ୍ରୋହ ଆଶଙ୍କା କରି ଦଳର ପ୍ରମୁଖ ନେତା ମଧ୍ୟ ଚିନ୍ତିତ ରହିଛନ୍ତି । ତେଣୁ ବିଭାଗ ବଣ୍ଟନ ନୂଆ ସରକାର ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି କୁହାଯାଉଛି ।