ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଜିଏସଟି ପରିଷଦ ବୈଠକ : କ୍ୟାନସର ଔଷଧଠୁ ସିନେମା ହଲର ଖାଦ୍ୟପେୟ ଉପରେ କମିପାରେ ଟ୍ୟାକ୍ସ

102

କନକ ବ୍ୟୁରୋ : ଆଜି ଜିଏସଟି ପରିଷଦର ବୈଠକ ବସିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଯେଉଁଥିରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ବୈଠକରେ କ୍ୟାନସର ଔଷଧଠୁ ଆରମ୍ଭ କରି ଫିଲ୍ମ ହଲରେ ବିକ୍ରି ହେଉଥିବା ପପ୍ କର୍ଣ୍ଣରେ ଜିଏସଟି ଲାଗୁକୁ ନେଇ ଆଲୋଚନା ହେବ । ଏସୟୁଭି କାରରେ ଲାଗୁ ହେଉଥିବା ଟିକସ ୨୨ ପ୍ରତିଶତକୁ ହ୍ରାସ ହେବା ନେଇ ନିଷ୍ପତି ନିଆଯାଇପାରେ । ଯାହା ଏବେ ୨୮ ପ୍ରତିଶତ ରହିଛି ।

ତେବେ ଅନ୍ ଲାଇନ୍ ଗେମିଂର ଟ୍ୟାକସ ୨୮ ପ୍ରତିଶତକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । କ୍ୟାନସର ପାଇଁ ଆମଦାନୀ ହେଉଥିବା ସ୍ୱତନ୍ତ୍ର ଔଷଧର ଟ୍ୟାକସକୁ କମାଇବା ଉପରେ ସରକାର ବିଚାର କରୁଛନ୍ତି । ସିନେମା ହଲରେ ବିକ୍ରି ହେଉଥିବା ଖାଦ୍ୟ ଓ ପାନୀୟ ସାମଗ୍ରୀ ଉପରେ ୧୮ ପ୍ରତିଶତ ଜିଏସଟି ରହିଛି । ଏହି ଟ୍ୟାକସ ୫ ପ୍ରତିଶତକୁ ଖସିପାରେ । ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ରହିଛି । ସାରା ଦେଶରେ ବିଭିନ୍ନ ଜିନିଷର ଦରଦାମ ଅଧିକ ରହିଛି । ଏପରି ସ୍ଥିତିରେ ବିଭିନ୍ନ ସାମଗ୍ରୀରେ ଜିଏସଟି କମାଇ ସାଧାରଣ ଲୋକଙ୍କୁ ଖୁସି କରାଇବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରର ମୋଦୀ ସରକାର ।