ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ପାଣିପାଗ ବିଭାଗ କହିଲା ୫ରେ ଲଘୁଚାପ, ଆଗକୁ ହେବ ଘନୀଭୂତ 

600

କନକ ବ୍ୟୁରୋ: ମେ’ ୪ ତାରିଖରେ ଓଡ଼ିଶା ଉପକୂଳରୁ ପ୍ରାୟ ୧୩ ଶହ କିଲୋମିଟର ଦୂର ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ୫ ତାରିଖରେ ଏହା ଲଘୁଚାପର ରୂପ ନେଇପାରେ ଏବଂ ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି କିନ୍ତୁ ଅନ୍ୟ ପାଣିପାଗ ବିଶେଷଜ୍ଞ ଓ ସଂସ୍ଥା ଆକଳନ କରୁଛନ୍ତି ଯେ ଏହା ବାତ୍ୟାର ରୂପ ନେଇପାରେ ଏବଂ ଆନ୍ଧ୍ର, ଓଡ଼ିଶା କିମ୍ବା ବାଂଲାଦେଶ ଆଡକୁ ମୁହାଁଇପାରେ ।

ଭାରତୀୟ ପାଣିପାଗ ବିଭାଗର ଜାରି କରିଥିବା ସାଟେଲାଇଟ୍ ଚିତ୍ରରେ ସମୁଦ୍ର ବେଶ ଶାନ୍ତ ରହିଛି । ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଉପରେ କାଁ ଭାଁ ବାଦଲ ରହିଛି । କିନ୍ତୁ ମେ’ ୪ ତାରିଖ ବେଳକୁ ଏହି ଚିତ୍ର ବଦଳି ଯାଇପାରେ । କାରଣ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଦାନା ବାନ୍ଧୁଛି ଲଘୁଚାପ ।

ପାଣିପାଗ ବିଭାଗର ଆକଳନ, ମେ’ ୪ ତାରିଖ ବେଳକୁ ଓଡ଼ିଶା ଉପକୂଳରୁ ପ୍ରାୟ ୧୩ ଶହ କିଲୋମିଟର ଦୂର ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଆଉ ୫ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ । ଏହାପର ୨୪ ଘଣ୍ଟା ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସମୟ ମଧ୍ୟରେ ଅଧିକ ଘନିଭୂତ ହୋଇ ଲଘୁଚାପ ସୁଦୃଶ୍ୟ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି ।

ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବା ଆଇଏମଡି କହିଥିବା ବେଳେ ଏହାର ଗତି କଣ ହେବ ସେ ନେଇ କିଛି ସ୍ପଷ୍ଟ ଭାବରେ କହିନାହିଁ । ତେବେ ଆଇଏମଡି ଅଧିକାରୀ କହିଛନ୍ତି, ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିନପାରେ ।

  • ସୋଆ ବିଶ୍ୱବିଦ୍ୟାଳୟ ପାଣିପାଗ ବିଭାଗର ଆକଳନ
  • ସାମୁଦ୍ରିକ ଝଡ଼ର ରୂପ ନେଇପାରେ ଲଘୁଚାପ

ସୋଆ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗ ମୁଖ୍ୟ ଶରତ ସାହୁ କହିଛନ୍ତି, ଏହି ସମୟରେ ସମୁଦ୍ର ଭିତରେ ସୃଷ୍ଟି ହେଉଥିବା ଝଡ ଅତି ଅଧିକ ଘନୀଭୂତ ହେବାର ସମ୍ଭାବନା କମ ଥାଏ । ଏହା ସାଇକ୍ଲୋନିକ ଷ୍ଟର୍ମ କିମ୍ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ସ୍ତରକୁ ଯାଇପାରେ । ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଇ ଶରତ ସାହୁ କହିଛନ୍ତି, ଏହା ଆନ୍ଧ୍ର, ଓଡ଼ିଶା କିମ୍ବା ବାଂଲାଦେଶ ସୀମାର, ଯେକୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ । କିନ୍ତୁ ଏବେଠାରୁ କିଛି କହିହେବ ନାହିଁ ବୋଲି କହିଛନ୍ତି ଶରତ ସାହୁ ।

  • ୩ ବର୍ଷ ଧରି ମେ’ ମାସରେ ଆସୁଛି ବାତ୍ୟା
  • ମେ’ ମାସରେ କାହିଁକି ଆସେ ବାତ୍ୟା?

ଗତ ୩ ବର୍ଷ ଧରି ମେ’ ମାସରେ ୩ଟି ବାତ୍ୟା – ଫନି, ଅମ୍ଫାନ ଓ ୟସ୍ ଆସିଛି । ମେ’ ମାସରେ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ରର ଉପର ଭାଗର ଉତାପ ବୃଦ୍ଧି ପାଏ । ସମୁଦ୍ରର ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ବାତ୍ୟା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥାଏ । ଏବେ ଦକ୍ଷିଣ ଆଣ୍ଡାମାନ ସାଗରର ତାପମାତ୍ରା ୩୨ ଡିଗ୍ରୀ ପାଖାପାଖି ରହୁଛି । ଫଳରେ ମେ’ ମାସରେ ଆଉ ଏକ ବାତ୍ୟାର ଆଶଙ୍କା କରାଯାଉଛି ।