ମହାନଦୀ ଟ୍ରିବ୍ୟୁନାଲ ଦ୍ୱିତୀୟ ପର୍ଯ୍ୟାୟ ଗସ୍ତର ଆଜି ଶେଷ ଦିନ : କେଲୋ ଡ୍ୟାମ ବୁଲି ଦେଖିବେ ଟ୍ରିବ୍ୟୁନାଲ ସଦସ୍ୟ

92

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ଶେଷ ଦିନ । ଆଜି ଶେଷ ଦିନରେ କେଲୋ ଡ୍ୟାମ୍ ବୁଲି ଦେଖିବେ ଟ୍ରିବ୍ୟୁନାଲ ଟିମ୍ । ଏହା ପରେ ସଂଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ । ଗସ୍ତର ତୃତୀୟ ଦିନରେ ଗତକାଲି ଟିମ୍ ମିରୋନି, ସାରାଡିହ କଲମା ବ୍ୟାରେଜ୍ ସହ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ସମୟରେ ମହାନଦୀ ପାଣି ଛାଡିବା ନେଇ ଓଡ଼ିଶା ଏବଂ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି ।

 

ପାଣି ଛଡ଼ାଯାଉ ନଥିବା ନେଇ ଓଡ଼ିଶା ବାରମ୍ବାର ଅଭିଯୋଗ କରିଥିବା ବେଳେ ଛତିଶଗଡ଼ ଏହି ଅଭିଯୋଗ ଠିକ୍ ନୁହେଁ କହି ଖଣ୍ଡନ କରିଥିଲା । ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା କଲମା ବ୍ୟାରେଜ୍ର ୬୬ଟି ଗେଟ୍ ରହିଛି । ଟ୍ରିବ୍ୟୁନାଲଙ୍କ ଗସ୍ତ ପୂର୍ବରୁ ତଳମୁଣ୍ଡକୁ ଅଳ୍ପ ପାଣି ଛାଡିଥିଲେ ଛତିଶଗଡ଼ ସରକାର । ହେଲେ କ୍ଷେତ୍ର ପରିଦର୍ଶନ ବେଳେ ଛତିଶଗଡ଼ ଚାଲାକି କରି ଅଧିକ ଗେଟ୍ ଖୋଲି ଦେଇଛି । ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ ଶେଷ ପରେ ଓଡ଼ିଶାରେ ମହାନଦୀ ଅବବାହିକା ଦୁଇଟି ପର୍ଯ୍ୟାୟରେ ଗସ୍ତ କରିବ ଟିମ୍ । ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ୧୦ ତାରିଖରେ ଟ୍ରିବ୍ୟୁନାଲ ଟିମ୍ ଭୁବନେଶ୍ୱରରେ ପହଞ୍ଚିବ । ୧୧ ତାରିଖରେ ଟ୍ରିବ୍ୟୁନାଲ ମହାନଦୀର ତ୍ରିକୋଣଭୂମି, ଏହାର ବ୍ୟାରେଜ ପରିସର ଏବଂ ସାମୁଦ୍ରିକ ସଂଗ୍ରହାଳୟ ପରିଦର୍ଶନ କରିବ ।

ପ୍ରଥମେ ମୁଣ୍ଡୁଳି ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନରେ ଯିବେ । ଏହା ପରେ ମହାନଦୀରେ ମିଶିଥିବା ସାପୁଆ ନଦୀ ପରିଦର୍ଶନ କରିବେ । ଏହା ସହ ଟିମ୍ ନରାଜ ବ୍ୟାରେଜ୍, ମହାନଦୀ ବ୍ୟାରେଜ୍, ବିରୁପା ବ୍ୟାରେଜ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଯୋବ୍ରାସ୍ଥିତ ସାମୁଦ୍ରିକ ସଂଗ୍ରହାଳୟକୁ ମଧ୍ୟ ବୁଲି ଦେଖିବେ । ୧୨ ତାରିଖରେ ସାତକୋଶିଆ ଗସ୍ତ ଅଭୟାରଣ୍ୟ ପରିଦର୍ଶନ କରିବେ । ୧୩ ତାରିଖରେ ଚିଲିକା, ୧୪ରେ ମହାନଦୀ ଡେଲଟା ରିଭର ସିଷ୍ଟମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମେ’ ୧୮ ତାରିଖରୁ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ ଗସ୍ତ ଆରମ୍ଭ ହେବ ।