ଆଶ୍ୱସ୍ତି ଆଣିଲା କ୍ୟାବିନେଟ ନିଷ୍ପତି । ଲିଜ୍ ଜମିକୁ ଶସ୍ତାରେ କରିହେବ ସ୍ଥିତିବାନ

6,232

କନକ ବ୍ୟୁରୋ: ରାଜଧାନୀରେ ଯେଉଁଠି ଆଖି ବୁଲାଇବେ ସେଇଠି ବଡ ବଡ ଘର । କିଏ ଦୁଇ ମହଲା କରିଛି ତ ପୁଣି କିଏ ଗଢିଛି ବଡ ବଡ ଅଟ୍ଟାଳିକା । ଏସବୁକୁ ନିଜର ସମ୍ପତି କହୁଥିବା ଲୋକ ବି ଜାଣିଛନ୍ତି ଏହାର ମାଲିକାନା କେବଳ ୯୯ ବର୍ଷ ଯାଏ । ସେହି ସମୟ ଭିତରେ ଜମିକୁ ସ୍ଥିତିବାନ ନକରେଇଲେ ଜାଗାଟି ଚାଲିଯିବ ସରକାରଙ୍କ ହାତକୁ । ଏହି ଭୟ ଭିତରେ ଅନେକ ଥିବାବେଳେ କ୍ୟାବିନେଟର ନିଷ୍ପତି ଭୁବନେଶ୍ୱର ବାସିନ୍ଦାଙ୍କୁ ଦେଇଛି ଆଶ୍ୱସ୍ତି ।

୧୯୬୧ରେ ବିଭୂତି ଭୁଷଣ ରଥ ଖାରବେଳ ନଗରରେ ମାତ୍ର ୧୨ ହଜାର ଟଙ୍କାରେ ୩ହଜାର ବର୍ଗ ଫୁଟ ଜାଗା କିଣିଥିଲେ । ତାହା ପୁଣି ୯୯ ବର୍ଷୀୟା ଲିଜରେ । ସମୟ ଗଡିଲା , ଏହାରି ଭିତରେ ୬୫ ବର୍ଷ ବିତିଗଲାଣି । ପରିବାର ବି ବଢିଲାଣି । ବିଭୂତି ଭୁଷଣଙ୍କ ପୁଅମାନେ ଏହି ଜମିକୁ ସ୍ଥିତିବାନ କରିବାକୁ ଅନେକବାର ଚିନ୍ତା କରିଛନ୍ତି । କିନ୍ତୁ କନଭର୍ସନ ଦେୟ ୬୦ରୁ ୬୫ ଲକ୍ଷ ଟଙ୍କା ହେଉଥିବାରୁ ଏହାକୁ ସ୍ଥିତିବାନ କରିବା ସମ୍ଭବପର ନଥିଲା । କିନ୍ତୁ କନଭର୍ସନ ଦେୟ ବାବଦକୁ ଜମିର ବେଞ୍ଚମାର୍କ ୧୦ ପ୍ରତିଶତରୁ ୩ ପ୍ରତିଶତ ହୋଇଥିବାରୁ ଆଶ୍ୱସ୍ତି ହୋଇଛନ୍ତି ବିଭୂତି ଭୁଷଣଙ୍କ ପୁଅ ବିଧୁ ଭୂଷଣ ରଥ ।

ସେହିପରି ଭୁବନେଶ୍ୱରର ବିରଞ୍ଚି ନାରାୟଣ ମହାପାତ୍ର ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଖାରବେଳ ନଗରରେ ରହନ୍ତି । ବାପା ରାଧାଚରଣ ମହାପାତ୍ର ୧୯୬୫ରେ ମାତ୍ର ୯ ହଜାର ଟଙ୍କାରେ ଜାଗା କିଣିଥିଲେ । ଅନ୍ୟମାନଙ୍କ ଭଳି ସିଏ ବି ୯୯ ବର୍ଷୀୟ ଲିଜରେ ଜାଗା କିଣିଥିଲେ । ବେଞ୍ଚମାର୍କର ୧୦ ପ୍ରତିଶତ ଦେଲେ ଜମିଟି ତାଙ୍କ ନାଁରେ ହୋଇଥାନ୍ତା । କିନ୍ତୁ ବେଞ୍ଚମାର୍କର ୧୦ ପ୍ରତିଶତ ବି ହିସାବ କଲେ ୨୨ରୁ ୨୫ ଲକ୍ଷ ହୋଇଯିବ । ଏତେ ଟଙ୍କା ଦେବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ୯୯ ବର୍ଷ ପୁରିଗଲେ ଜାଗାଟି ସରକାରଙ୍କ ଖାତାକୁ ପଳାଇଯିବାର ଭୟ ତାଙ୍କୁ ବି ଥିଲା । କିନ୍ତୁ ଏବେ କନଭର୍ସନ ଦେୟ କମିଯାଇଥିବାରୁ ସେ କ୍ୟାବିନେଟର ନିଷ୍ପତିରେ ଖୁସି ଜାହିର କରିଛନ୍ତି ।

ସହରର ବିଭିନ୍ନ ଜାଗାରେ ଜମିର କନଭର୍ସନ ଦେୟ ଭିନ୍ନ ଭିନ୍ନ ରହିଛି । ବେଞ୍ଚମାର୍କ ଆଧାରରେ କନଭର୍ସନ ଦେୟ ପୈଠ କରିବେ ଜମି ମାଲିକ ।