ଚାଷୀ ଆନ୍ଦୋଳନ ପାଇଁ ହୁଲୁସ୍ତୁଲୁ ଦିଲ୍ଲୀ । ରାଜଧାନୀ ମୁହାଁ ଶହ ଶହ ସଂଖ୍ୟକ ଚାଷୀ । ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ ହେଲେ ୨ଶହରୁ ଅଧିକ ସଙ୍ଗଠନ

110

କନକ ବ୍ୟୁରୋ : କେଉଁଠି ବୋମା ବିସ୍ଫୋରଣ । କେଉଁଠି ଫୁଟୁଛି ଗୁଳି । ଲୁହ ବୁହା ଗ୍ୟାସରେ ଧୁଆଁ ଧୁଆଁ ସାରା ଅଂଚଳ । ଚାଷୀଙ୍କ ହଙ୍ଗାମା, ପୁଲିସର ଚିନ୍ତା । କେଉଁଠି ଚାଷୀଙ୍କୁ ଗୋଡାଇ ଗୋଡାଇ ଲାଠିଚାର୍ଜ କରାଯାଉଛି ତ ପୁଣି କେଉଁଠି ସୁରକ୍ଷାକର୍ମୀଙ୍କ ଉପରେ ଭାରିପଡିଛନ୍ତି ଚାଷୀ । ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅଭେଦ ଦୁର୍ଗରେ ପରିଣତ ହୋଇଛି ରାଜଧାନୀ ଦିଲ୍ଲୀ । ଚାରିଆଡେ କଡ଼ା ସୁରକ୍ଷା । କେଉଁଠି କଂକ୍ରିଟର ପାଚେରୀ ଦେଖିବାକୁ ମିଳିଛି ତ ପୁଣି କେଉଁଠି ଚାଷୀଙ୍କୁ ରୋକିବା ପାଇଁ କଂଟାଜାଲ ବିଛାଯାଇଛି । ଟ୍ରକରେ ବସି ଶହ ଶହ ଚାଷୀ ମାଡିଆସୁଛନ୍ତି ଦିଲ୍ଲୀ । ସ୍ଥିତି ଅଣଆୟତ ହେବାରୁ ଡ୍ରୋନ ସାହାର୍ଯ୍ୟରେ ଲୁହବୁହା ଗ୍ୟାସ ଚାଷୀଙ୍କ ଉପରେ ମାଡ କରୁଛି ପୁଲିସ । ଚାଷୀଙ୍କୁ ରୋକିବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ପ୍ରୟାସ କରାଯାଊଛି ।

ଦିଲ୍ଲୀର ଚାରୋଟି ସୀମା ସିଂଘୁ, ଟିକରି, ଶମ୍ଭୁ ସହ ଗାଜିପୁରରେ ବ୍ୟାପକ ସଂଖ୍ୟାରେ ପୁଲିସ ମୃତୟନ କରାଯାଇଛି । ପୁଲିସ ସମେତ ପାରାମିଲିଟାରୀକୁ ମଧ୍ୟ ମୃତୟନ କରଯାଇଛି । ଡ୍ରୋନ କ୍ୟାମେରା ଓ ସିସିଟି ପୂରା ଅଂଚଳକୁ ଜଗିଛି । ନିଜ ଦାବି ଜଣାଇ ଚାଷୀମାନେ ଦିଲ୍ଲୀ ଚଲୋ ଡାକରା ଦେଇ ରାଜଧାନୀରେ ପହଁଚୁଛନ୍ତି । ଶହ ଶହ ସଂଖ୍ୟକ ଚାଷୀ ଟ୍ରାକ୍ଟର ଯୋଗେ ପଡୋଶୀ ରାଜ୍ୟରୁ ଛୁଟି ଆସୁଛନ୍ତି । ସ୍ଥିତି ଏଭଳି ହୋଇଛି ଯେ ରାଜଧାନୀରେ ପ୍ରବଳ ଟ୍ରାଫିକ ଦେଖିବାକୁ ମିଳିଛି । ଚାଷୀ ଆନ୍ଦୋଳନ ପାଇଁ ବିଜେପି କଂଗ୍ରେସକୁ ଦାୟୀ କରିଛି । ଅନ୍ୟପଟେ କଂଗ୍ରେସ କହିଛି ବିଜେପି ସରକାର ଚାଷୀଙ୍କ ସମସ୍ୟା ବୁଝନାହାଁନ୍ତି ।

ଚାଷୀଙ୍କ ପ୍ରମୁଖ ଦାବି

  • ପ୍ରତ୍ୟେକ ଫସଲର MSP ଉପରେ ଆଇନଗତ ଗ୍ୟାରେଂଟି
  • ଏମ ଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା
  • ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା
  • ଜମି ଅଧିଗ୍ରହଣ ଅଧିନିୟମ ୨୦୧୩କୁ ପୁନଃ ଲାଗୁ କରିବା
  • ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ
  • ମୁକ୍ତ ବଜାର ଚୁକ୍ତିନାମା ଉପରେ ରୋକ
  • ଚାଷୀ ଆନ୍ଦୋଳନରେ ମୃତ କୃଷକଙ୍କ ପରିବାରକୁ ଭରଣପୋଷଣ, ପରିବାରର ଜଣଙ୍କୁ ସରକାରୀ ଚାକିରି
  • ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍

ବର୍ତମାନ ଅଲ ଇଣ୍ଡିଆ କୃଷକ ସଂଘ ହରିଆଣା ଓ ପଞ୍ଜାବର କୃଷକଙ୍କ ଆନ୍ଦୋଳନ ଠାରୁ ଦୂରତା ବଜାୟ ରଖିଛନ୍ତି । ମାତ୍ର ୧୬ ଫେବ୍ରୁଆରୀରେ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । । ସେପଟେ ଜାତୀୟ ରାସ୍ତା ବନ୍ଦ ହେବା ଫଳରେ ସାଧାରଣ ଜୀବନ ଜିବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ପୂର୍ବରୁ କୃଷି ଆଇନକୁ ବିରୋଧ କରି ରାଜଧାନୀରେ ହଜାର ହଜାର କୃଷକ ୧୩ ମାସ ଧରି ଧାରଣା ଦେଇଥିଲେ । ଶେଷରେ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ କେନ୍ଦ୍ର ସରକାର । ଏବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପୁଣିଥରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି ।