ବୋମା ନେଲା ଦନ୍ତା ହାତୀର ଜୀବନ । ଉଠିଲା ପ୍ରଶ୍ନ, ଜଙ୍ଗଲ ଭିତରେ କେଉଁଠୁ ଆସିଲା ବୋମା ?

78

କନକ ବ୍ୟୁରୋ: ସବୁଦିନ ଭଳି ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯାଉଥାନ୍ତି ହାତୀ ପଲ । ଖାଦ୍ୟ ଯୋଗାଡ ପାଇଁ ଆଜି ଗୋଟିଏ ଜଙ୍ଗଲ ତ କାଲି ଆଉ ଗୋଟେ ଜଙ୍ଗଲ । ହେଲେ ଏମିତି ବୁଲୁ ବୁଲୁ ହଠାତ ହେଲା ବିସ୍ଫୋରଣ । ତାହା ପୁଣି ଦନ୍ତା ହାତୀ ମୁହଁରେ । ମାତ୍ର କେଇ ସେକେଣ୍ଡରେ ହାତୀର ଜିଭ ଛିଡିଯାଇଥିବାବେଳେ ମାଢି ଓ ମୁହଁର ହାଡ ନଷ୍ଟ ହୋଇଯାଇଥିଲା । ଜୀବନ ବିକଳରେ ସେହି ସ୍ଥାନ ଛାଡି ହାତୀ ପଲ ସହ ଦନ୍ତାଟି ଚାଲିଆସିଥିଲା ଭରତପୁର ଜଙ୍ଗଲକୁ । ହାତୀଟି ଗୁରୁତର ହୋଇ ଭରତପୁର ଜଙ୍ଗଲରେ ପଡିଥିବାବେଳେ ଡିଏଫଓ ଶରତ ଚନ୍ଦ୍ର ବେହେରା ଓୟୁଏଟି ଓ ନନ୍ଦନକାନନର ପଶୁ ଚିକିତ୍ସକଙ୍କୁ ଡକାଇ ହାତୀର ଚିକିତ୍ସା କରାଇଥିଲେ । ହେଲେ, ଗୁରୁତର ହାତୀକୁ ବଞ୍ଚାଇବା ସମ୍ଭବ ହୋଇନାହିଁ ।

  • କେଉଁଠୁ ଆସିଲା ବୋମା ?
  • ବନ ବିଭାଗର ଅନୁସନ୍ଧାନ ଆରମ୍ଭ

ପ୍ରାଥମିକ ଚିକିତ୍ସାବେଳେ ଜଣାପଡିଥିଲା ଯେ, ହାତୀ ମୁହଁରେ ବୋମା ଫୁଟିବାରୁ ହାତୀଟି ଆହତ ହୋଇଥିଲା । ତେବେ ଜଙ୍ଗଲ ଭିତରକୁ କେଉଁଠୁ ବୋମା ଆସିଲା ତାର ଖୋଳତାଡ ଆରମ୍ଭ କରିଛି ବନବିଭାଗ । ହେଲେ, ବନ ବିଭାଗ ଆଶଙ୍କା କରିଛି, ବାରହା ଶିକାର ପାଇଁ କୌଣସି ଫଳ କି ପରିବା ଭିତରେ ଖଞ୍ଜା ଯାଇଥିବା ବୋମା ଖାଇବା ପରେ ହାତୀ ମୁହଁର ବୋମା ଫାଟିଯାଇଥାଇପାରେ । ହେଲେ, କେଉଁ ଅଞ୍ଚଳରେ ଏଭଳି ଘଟଣା ଘଟିଲା ତାର ଖବର କାହାରି ପାଖରେ ନାହିଁ । ଏହି ଘଟଣାରେ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଗଲାଣି ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ ।

ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ ଜଙ୍ଗଲରେ ନିୟୋଜିତ ଅଛନ୍ତି ବନ ବିଭାଗର କର୍ମଚାରୀ ଓ ଅଧିକୀରୀ । ତେବେ ପ୍ରଶ୍ନ ଉଠୁଛି, ୧୫ ଦିନ ତଳେ ଯଦି ଜଙ୍ଗଲ ଭିତରେ ବିସ୍ଫୋରଣ ହେଲା , ଆଉ ଏହି ବିସ୍ଫୋରଣରେ ଦନ୍ତା ହାତୀ ଗୁରୁତର ହେଲା ତେବେ ଏହି ଖବର ବନ ବିଭାଗର କର୍ମଚାରୀ କିମ୍ବା ଅଧିକାରୀଙ୍କ ପାଖରେ ପହଞ୍ଚିଲା ନାହିଁ କେମିତି? ଶୀକାରୀଙ୍କ ସହ ବନ ବିଭାଗ କର୍ମଚାରୀଙ୍କ ମଧୁର ସମ୍ପର୍କ ଥିବା ନେଇ ବି ସନ୍ଦେହ ବଢ଼ିବାରେ ଲାଗିିଛି ।