ତୈଳଦର ବୃଦ୍ଧି କରିବା ସରକାରଙ୍କ ପାଇଁ ହେଲା କାଳ । ଭାଙ୍ଗିଗଲା ସରକାର, ଦେଶରେ ଜରୁରୀକାଳୀନ ସ୍ଥିତି

496

କନକ ବ୍ୟୁରୋ : କାଜାକାସ୍ତାନ ସରକାରଙ୍କ ପାଇଁ ମହଙ୍ଗା ପଡିଲା ତୈଳଦର ବୃଦ୍ଧି । ଦେଶରେ ସରକାର ପେଟ୍ରୋଲିୟମ ଜାତ ପଦାର୍ଥ ଏଲପିଜି, ଗ୍ୟାସୋଲିନର ଦାମ ବୃଦ୍ଧି କରିବା ଫଳରେ ସାରା ଦେଶରୁ ଏହାକୁ ବିରୋଧ କରାଯାଇଛି । ବିରୋଧରେ ଏତେ ଲୋକ ଯୋଗ ଦେଇଥିଲେ କି ପୋଲିସ ବାଧ୍ୟ ହୋଇ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ବି ପ୍ରୟୋଗ କରିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ କାଜାକସ୍ତାନରେ ଏବେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇବାକୁ ପୋଲିସ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିଛି । ଅନ୍ୟପଟେ କାଜାକସ୍ତାନ ରାଷ୍ଟ୍ରପତି ଦେଶର ଆର୍ଥିକ ରାଜଧାନୀ ଅଲ୍ମାଟି ଓ ମାଙ୍ଗିଷ୍ଟକ ଅଞ୍ଚଳରେ ବ୍ୟାପକ ବିରୋଧ ପ୍ରଦର୍ଶନକୁ ନଜରରେ ରଖି ରାତି ୧୧ ରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ମୁତାବକ ୧୦ ବର୍ଷ ପରେ କାଜାକସ୍ତାନର ଲୋକମାନେ ଏକ ବଡ ବିରୋଧ ପ୍ରଦର୍ଶନ କରିବାକୁ ଏକତ୍ରୀତ ହୋଇଛନ୍ତି । ଏହି କ୍ରମରେ ସେନା ଓ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିକ୍ଷୋଭକାରୀମାନେ ସେନା ଓ ପୋଲିସର ଗାଡି ଭଙ୍ଗାରୁଜା କରିବା ସହ ଗାଡିରେ ନିଆଁ ଲଗାଇ ଦେଉଥିବାର ଭିଡିଓ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି ।

ନ୍ୟୁଜ୍ ଏଜେନ୍ସି ବାର୍ତ୍ତା ଓ ସ୍ପୁଟନିକ ସୂତ୍ରରୁ ମିଳିଥିବା ଖବର ମୁତାବକ କାଜାକସ୍ତାନର ସରକାର ଏହି ପୂରା ଘଟଣା କ୍ରମକୁ ନେଇ ଇସ୍ତଫା ଦେଇଛନ୍ତି । ଏହାପରେ ରାଷ୍ଟ୍ରପତି ଏବେ ନିଜର କ୍ଷମତା ପ୍ରୟୋଗ କରି ଆନ୍ଦୋଳନକାରୀଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିବାରୁ ବିରତ ରଖିବାକୁ ଚେଷ୍ଟା କରୁଛନ୍ତି ।