କର୍ଣ୍ଣାଟକରେ ବିରୋଧୀଙ୍କୁ ଘେରିଲେ ମୋଦୀ । କହିଲେ କଂଗ୍ରେସ-ଜେଡିଏସ୍ ଦେଖିବାକୁ ଦୁଇ ଦଳ, ହେଲେ କାମ କିନ୍ତୁ ଗୋଟିଏ । ସାବଧାନ୍ ରୁହନ୍ତୁ କର୍ଣ୍ଣାଟକବାସୀ…

104

କନକ ବ୍ୟୁରୋ: କର୍ଣ୍ଣାଟକରେ ଏବେ ଚାଲିଛି ନିର୍ବାଚନୀ ରାଲି । ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକରେ ଭୋଟ୍ ପଡିବାକୁ ଥିବାବେଳେ ଏହା ପୂର୍ବରୁ ସବୁ ରାଜନୈତିକ ଦଳ ଏବେ ପ୍ରଚାରରେ ନିଜର ସବୁ ବଳ ଖଟେଇ ଦେଇଛନ୍ତି । ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନୀ ସଭାକୁ ଉଦବୋଧନ ଦେବା ସହିତ ଚିତ୍ରଦୁର୍ଗ ଜିଲ୍ଲାରେ ରାଲିକୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି, ଅମୃତକାଳରେ କର୍ଣ୍ଣାଟକରେ ଏହା ପ୍ରଥମ ନିର୍ବାଚନ । ଏହି ନିର୍ବାଚନ କର୍ଣ୍ଣାଟକକୁ ନମ୍ବର ୱାନ ବନେଇବା ପାଇଁ ନିର୍ବାଚନ । ଆଗାମୀ ୨୫ ବର୍ଷ ଭିତରେ କର୍ଣ୍ଣାଟକ ବିକାଶର ଶିଖର ଛୁଇଁବ । କର୍ଣ୍ଣାଟକକୁ ବିକଶିତ ଭାରତର ଡ୍ରାଇଭିଙ୍ଗ୍ ଫୋର୍ସ ବନେଇବାକୁ ହେବ ବୋଲି ଆଜି କହିଛନ୍ତି ପିଏମ୍ ମୋଦୀ ।

ଅନ୍ୟପଟେ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସରର ଇତିହାସ ଆତଙ୍କ ଓ ଆତଙ୍କବାଦୀଙ୍କ ତୁଷ୍ଟିକରଣ ରହିଆସିଛି । ଯେତେବେଳେ ଦିଲ୍ଲୀରେ ବାଟଲା ହାଉସ୍ ଏନକାଉଣ୍ଟର ହେଲା ସେତେବେଳେ କଂଗ୍ରେସ ନେତାଙ୍କ ଆଖିରେ ଲୁହ ଆସିଯାଇଥିଲା । ସର୍ଜିକାଲ ଷ୍ଟ୍ରାଇକ୍ ଉପରେ କଂଗ୍ରେସ ନେତାମାନେ ପ୍ରଶ୍ନ ଉଠାଇଥିଲେ । ଏବେ ସେହି କଂଗ୍ରେସ ନିଜର ୱାରେଣ୍ଟି ହରେଇ ସାରିଛି । କଂଗ୍ରେସ ଦଳ ନିଜର ବିଶ୍ୱସନୀୟତା ହରାଇ ସାରିଛି ବୋଲି କହିଛନ୍ତି ମୋଦୀ ।

ସେହିପରି କର୍ଣ୍ଣାଟକର ଲୋକମାନେ କଂଗ୍ରେସ ଓ ଜେଡିଏସଠାରୁ ସାବଧାନ ରହିବା ଉଚିତ୍ । କଂଗ୍ରେସ ଏବଂ ଜେଡିଏସ୍ ଦୁଇଟି ଦଳ ଭଳି ଦେଖାଯାଉଥିଲେ ବି, ସେମାନଙ୍କ କାମ କିନ୍ତୁ ଏକାଭଳି । ଦୁହେଁ ପରିବାରବାଦୀ, ଭଷ୍ଟ୍ରାଚାରୀ ବୋଲି କହିବା ସହିତ ଦୁଇଟି ଯାକ ଦଳ ସମାଜକୁ ବାଣ୍ଟିବାକୁ ଚେଷ୍ଟା କରୁଥିବା ମୋଦୀ କହିଛନ୍ତି । ଏହାସହ ଭାଜପା ବିକାଶ କାମ ସହ କଂଗ୍ରେସ ମୁକାବିଲା କରିପାରିବ ନାହିଁ । ୨୦୧୪ ପୂର୍ବରୁ ୧୦ ବର୍ଷରେ ଯେତିକି ମେଡିକାଲ କଲେଜ ବନାଯାଇଥିଲା । ଭାଜପା ସରକାର ସମୟରେ ତାଠାରୁ ଦୁଇ ଗୁଣ ଅଧିକ କଲେଜ କେବଳ ୯ ବର୍ଷରେ ନିର୍ମାଣ ହୋଇଛି ବୋଲି ମୋଦୀ କହିଛନ୍ତି ।
ଖାଲି ସେତିକି ନୁହେଁ, ବିଜେପିର ନିର୍ବାଚନୀ ଇସ୍ତାହାରକୁ ପ୍ରଂଶସା କରି ମୋଦୀ କହିଛନ୍ତି – ଏହି ସଙ୍କଳ୍ପପତ୍ର ବହୁତ ଭଲ ଅଟେ । କର୍ଣ୍ଣାଟକକୁ ଏକ ନମ୍ବର ରାଜ୍ୟ ଭାବେ ପ୍ରସ୍ତୁତ କରିବାକୁ ଏହା ରୋଡ୍ ମ୍ୟାପ୍ ଅଟେ । ଏଥିରେ ଆଧୁନିକ ଭିତ୍ତିଭୂମିର ବ୍ଲୁ ପ୍ରିଣ୍ଟ ରହିଛି । ଏଥିସହ ମହିଳା ସଶକ୍ତିକରଣ ଉପରେ ମଧ୍ୟ ଜୋର୍ ଦିଆଯାଇଛି ବୋଲି ମୋଦୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇସାରିଛି । ସବୁବର୍ଗଙ୍କୁ ଦୃଷ୍ଟିରେ ରଖି ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ କରିଛି ପ୍ରତିଶୁତି ବର୍ଷା । ମାଗଣା କ୍ଷୀରଠୁ ମାଗଣା ଗ୍ୟାସ । ଏଭଳି ଅନେକ ପ୍ରତିଶ୍ରୁତି ଦେଇଛି ଦଳ । ଏଥିସହ ମହିଳା ସଂଶକ୍ତିକରଣ ଓ ଯୁବ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ବିଜେପି । ତେବେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମେ ୧୦ରେ ପଡିବ ଭୋଟ, ୧୩ ବାହାରିବ ଫଳାଫଳ ।