ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଢିଲା ଆପ୍ ପାଇଁ ଅଡୁଆ, ସିସୋଦିଆଙ୍କ ବ୍ୟକ୍ତିଗତ ସହାୟକଙ୍କ ବୟାନ ଆଧାରରେ ଚାର୍ଜସିଟରେ ଆସିଲା ରାଘବ ଚଡ୍ଡାଙ୍କ ନାମ

416

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ତରଫରୁ କୋର୍ଟରେ ଦ୍ୱିତୀୟ ପର୍ଯ୍ୟାୟ ଚାର୍ଜସଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାମ ସାମିଲ ହୋଇଛି । ଇଡି ତରଫରୁ କୁହାଯାଇଛି କି, ଏହି ମାମଲାରେ ରାଘବ ଚଡ୍ଡା କିଛି ମଦ ବ୍ୟବସାୟୀଙ୍କ ସହ ମିଟିଂ କରିଥିଲେ । ଏହି କ୍ରମରେ ଇଡି ତରଫରୁ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ରାଘବ ଚଡ୍ଡାଙ୍କ ନାମ ସାମିଲ କରାଯାଇଛି । ଏହାସହ ଇଡିର ଚାର୍ଜସିଟ ମୁତାବକ ମନୀଷ ସିସୋଦିଆଙ୍କ ବ୍ୟକ୍ତିଗତ ସହାୟକ ସି.ଅରବିନ୍ଦ ତାଙ୍କ ବୟାନରେ କହିଥିଲେ କି, ମନୀଷ ସିସୋଦିଆଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଘବ ଚଡ୍ଡା, ପଞ୍ଜାବର ଅବକାରୀ କମିଶନର, ଅବକାରୀ ଅଧିକାରୀ ଓ ବିଜୟ ନାୟାର ସାମିଲ ଥିଲେ ।

ସୂଚନା ଥାଉ କି ଦିଲ୍ଲୀ ଅବକାରୀ ନୀତି ମାମଲା ଉପରେ ଉପ ରାଜ୍ୟପାଳଙ୍କ ଅନୁରୋଧ କ୍ରମେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଆଧାରରେ ଇଡି ମଧ୍ୟ ତଦନ୍ତ ଚଳାଇଛି । ଏହି ମାମଲାରେ ଫେବୃଆରୀ ୨୬ ତାରିଖରେ ଦିଲ୍ଲୀ ସରକାରଙ୍କ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଏବେ ନ୍ୟାୟିକ ହେପାଜତରେ ରହିଛନ୍ତି । ତାଙ୍କୁ ପ୍ରଥମେ ସିବିଆଇ ଓ ପରେ ଇଡି ତରଫରୁ ଗିରଫ କରାଯାଇଥିଲା ।