ଓଡିଶା ପରେ ମଧ୍ୟପ୍ରଦେଶ କଂଗ୍ରେସରେ ସଂକଟ, ବିରୋଧୀଦଳ ନେତା ପଦରୁ ଇସ୍ତଫା ଦେଲେ କମଳନାଥ

139

କନକ ବ୍ୟୁରୋ : କଂଗ୍ରେସରେ ଚାଲିଛି କଣ ? ଏକଥା ନା କଂଗ୍ରେସର ହାଇକମାଣ୍ଡ ବୁଝି ପାରୁଛନ୍ତି ନା ଦେଶର ରାଜନୈତିକ ବିଶେଷଜ୍ଞମାନେ । ଏବେ ଏବେ ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀଦଳ ନେତା ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହି ସ୍ଥାନରେ ଏବେ ଗୋବିନ୍ଦ ସିଂ ବିରୋଧୀଦଳ ନେତା ଭାବେ କାର୍ଯ୍ୟ ତୁଲାଇବେ । ଏନେଇ ପ୍ରଥମେ ଆକଳନ କରାଯାଉଥିବା ବେଳେ ଆଜି କମଲନାଥ ତାଙ୍କ ଇସ୍ତଫାପତ୍ର ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ହେଲେ ଏହା ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ ।

ସେପଟେ କିଛିଦିନ ହେବ କିଛି ମାମଲାକୁ ନେଇ କମଲନାଥ ଦଳ ଉପରେ ଅସନ୍ତୋଷ୍ଟ ଥିଲେ । କିଛିଦିନ ତଳେ ସେ ବିଧାନସଭା ଅଧିବେଶନକୁ ନେଇ ଏକ ବିବଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ କି ବିଜେପିର ଅଯଥା ଗପ ଶୁଣିବାକୁ ଚାହାଁନ୍ତି ନାହିଁ , ତେଣୁ ଅଧିବେଶନ ବେଳେ ସେ ଗୃହରେ ଅନୁପସ୍ଥିତ ରହୁଛନ୍ତି । ଏହି ବୟାନକୁ ନେଇ ବିଜେପି ବାଚସ୍ପତିଙ୍କ ଠାରେ ଅଭିଯୋଗ କରି କମଲନାଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା ।

 

ସେପଟେ କମଲନାଥଙ୍କ ପରେ ବିରୋଧୀଦଳ ନେତା ପଦରେ ଅବସ୍ଥାପିତ ହୋଇଥିବା ଗୋବିନ୍ଦ ସିଂ କଂଗ୍ରେସର ଜଣେ ପୁରୁଖା ନେତା । ସେ ୭ ଥର ବିଧାୟକ ହେବା ସହ ରାଜ୍ୟ କଂଗ୍ରେସର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ନିର୍ବାହ କରିଛନ୍ତି ।

କହିରଖୁ କି ବୁଧବାର ଦିନ ବି ଓଡିଶା କଂଗ୍ରେସରେ ସମାନ ସମସ୍ୟା ଦେଖାଦେଇଥିଲା । ଓଡିଶା ବିଧାନସଭାରେ କଂଗ୍ରେସ ବିଧାୟକଦଳର ନେତା ଥିବା ତାରା ବାହିନୀପତି ନିଜ ପଦରୁ ଇସ୍ତଫା ଦେଇଥିଲେ ।