ବଞ୍ଚିବାକୁ ଚାହାନ୍ତି ବିରଞ୍ଚି । ୬ ମାସ ତଳେ ପୋଲରୁ ପଡି ଭାଙ୍ଗି ଯାଇଛି ମେରୁଦଣ୍ଡ ହାଡ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଆପଣଙ୍କ ସାହାଯ୍ୟ ବିରଞ୍ଚିଙ୍କୁ ଦେବ ନୂଆ ଜୀବନ ।

100

କନକ ବ୍ୟୁରୋ  : ଦୁର୍ଘଟଣା ପରେ ବଦଳି ଯାଇଛି ଜୀବନ । ବିଛଣାରେ ଅଟକି ଯାଇଛି ଅଭାବୀ ପରିବାରର ତେଳ ଲୁଣ ସଂସାର । ଦୁଇ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି  କପ୍ତିପଦା ବ୍ଲକ ମହୁଲଡ଼ିହା ଗାଁର ବିରଞ୍ଚି ସିଂ । ପର ଘରେ ପାଇଟି କରି ପିଲାଙ୍କ ମୁହଁରେ ଦାନା ଦେଉଥିବା ସ୍ତ୍ରୀ, ସ୍ୱାମୀଙ୍କ ଚିକିତ୍ସାକୁ ନେଇ ଚିନ୍ତାରେ ପଡିଥିବା ବେଳେ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

୬ ମାସ ହେବ ବିଛଣାରେ ପଡ଼ିରହିଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମହୁଲଡ଼ିହା ଗାଁର ବିରଞ୍ଚି ସିଂ । ଦିନେ କାମ ସାରି କପ୍ତିପଦା ଛକ ନିକଟରେ ବସରୁ ଓହ୍ଲାଇ ଏକ ପୋଲ ଉପରେ ବସିିଥିଲେ ବିରଞ୍ଚି । ଆଉ ସେଇଠି ତାଙ୍କୁ ଜଗିଥିଲା ଦୁର୍ଘଟଣା । ହଠାତ୍  ପୋଲରୁ ଖସିପଡ଼ିବା ପରେ ବିରଞ୍ଚିଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ପରିବାର ଲୋକେ ତାଙ୍କ ଚିକିତ୍ସା ପାଇଁ ପାଖରେ ଥିବା ସମସ୍ତ ଅର୍ଥ ଖର୍ଚ କରିବା ପରେ ଏବେ ଅସହାୟ ଅବସ୍ଥାରେ ଘରେ ପକାଇ ରଖିଛନ୍ତି ।

ବିରଞ୍ଚିଙ୍କ ପରିବାର କହିଲେ ସ୍ତ୍ରୀ ସୁକାନ୍ତି, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ଦିନେ ମୁଲ ମଜୁରି କରି ପରିବାର ଚଳାଉଥିବା ବିରଞ୍ଚି ଆଜି ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି । ସ୍ତ୍ରୀ-ପିଲା ବେସାହାରା ପାଲଟିଯାଇଛନ୍ତି । ସ୍ତ୍ରୀ ପର ଘରେ ପାଇଟି କରି ପରିବାର ଚଳାଉଛନ୍ତି । ପେଟକୁ ଦୁଇ ଓଳି ଦାନା ଯୋଗାଡ଼ କରିବା  କଷ୍ଟକର ହୋଇପଡ଼ିଥିବା ବେଳେ ସ୍ୱାମୀଙ୍କ ଚିକିତ୍ସା କରିବା କଥା ସ୍ୱପ୍ନ ପାଲଟିଛି ।

ସରକାରୀ ସ୍ତରରେ ହେଉବା ବେସରକାରୀ ସ୍ତରରେ କୌଣସି ବ୍ୟକ୍ତି କି ଅନୁଷ୍ଠାନ ବିରଞ୍ଚିଙ୍କ ଚିକିତ୍ସା ପାଇଁ ସହାୟତା ପ୍ରଦାନ କଲେ, ସେ ଚିକିତ୍ସିତ ହୋଇପାରନ୍ତେ । ତାଙ୍କ ଦୁଇ ପିଲାଙ୍କ  ଭବିଷ୍ୟତ ଗଢ଼ି ପାରନ୍ତେ । ୪ ପ୍ରାଣୀର ପରିବାରରେ ପୁଣି ଥରେ ଖୁସି ଫେରି ଆସନ୍ତା ।