ତାତି ବଢୁଛି, ପାଣି ଶୁଖୁଛି । ଜୟପୁରବାସୀଙ୍କ ଦାବି ଜଗନ୍ନାଥ ସାଗରର ପୁନରୁଦ୍ଧାର ହେଲେ ବଞ୍ଚିବ ଜୀବନ ।

105

କନକ ବ୍ୟୁରୋ : ଅସହାୟ ହୋଇ ପଡ଼ିଛି ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଜଗନାଥ ସାଗର । ପରିଚୟ ହରାଇବାକୁ ବସିଛି ଏହି ସାଗର । ଜୟପୁର ସହର ନିର୍ଭର କରୁଥିବା ରାଜା ରାଜୋଡ଼ା ଅମଳର ଏହି ସାଗର ଏବେ ପୁନରୁଦ୍ଧାର ପାଇଁ ହାତ ଠାରି ଡ଼ାକୁଛି ।

ବଢୁଛି ତାତି, କମୁଛି ପାଣି
ଶୁଖିଯାଉଛି ଜଗନ୍ନାଥ ସାଗର
ପାଣି ଚିନ୍ତାରେ ଜୟପୁରବାସୀ

ତାତି ଯେତିକି ବଢ଼ୁଛି, ଜଳକଷ୍ଟ ସେତିକି ବଢୁଛି । ୧ ଲକ୍ଷରୁ ଉଦ୍ଧ୍ୱର୍ ଜନସଂଖ୍ୟା ବିଶିଷ୍ଟ ଜୟପୁର ସହର ପାଇଁ ଚିନ୍ତା ବଢ଼ାଇଛି ଜଗନ୍ନାଥ ସାଗର । ପାଣି ଅଭାବ ମେଣ୍ଟାଇବା ପାଇଁ ୧୭୮୧ରେ ଜୟପୁର ରାଜା ବିକ୍ରମ ଦେବ ୧୧୫ ହେକ୍ଟର ଜମିରେ ଏହି ସାଗର ତିଆରି କରିଥିଲେ । ହେଲେ ଆଜି ଏହି ସାଗର ସତ୍ତା ହରାଇବାକୁ ବସିଛି । ଅସମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଥବା ଜଗନ୍ନାଥ ସାଗର ଏବେ ପଙ୍କ ଓ ଦଳରେ ପୋତି ହୋଇଯାଇଛି ।

ରକ୍ଷଣାବେକ୍ଷଣ ଅଭାବରୁ ଜଗନ୍ନାଥ ସାଗର ପୋତି ହୋଇଯିବାରୁ ସହରରେ ଜଳାଭାବ ଦେଖାଦେଉଛି । ପୂର୍ବରୁ ବୋରୱେଲ ପାଇଁ ୩୦ ଫୁଟ ଖୋଳିଲେ ପାଣି ବାହାରୁଥିଲା, ଏବେ ୩୦୦ରୁ ୪୦୦ ଫୁଟ ଖୋଳିଲେ ବି ପାଣି ବାହାରିବା କଷ୍ଟକର ହୋଇପଡ଼ୁଛି । ଜଗନ୍ନାଥ ସାଗରର ପୁନଃରୁଦ୍ଧାର ପାଇଁ ବାରମ୍ବାର ଦାବି ହେଉଛି । ଅନ୍ୟପଟେ ରାଜା ରାଜୁଡା ଅମଳର ଏହି ସାଗରର ଉଦ୍ଧାର ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଥିବା ପୌରପାଳିକା ଅଧିକାରୀ କହିଛନ୍ତି ।