୨୩୮ ଥର ଲଢିଛନ୍ତି ନିର୍ବାଚନ, ୨୩୮ ଥର ହାରିଛନ୍ତି ମଧ୍ୟ ନିର୍ବାଚନ । ମୋଦୀ-ରାହୁଲଙ୍କୁ ମଧ୍ୟ ଦେଇସାରିଛନ୍ତି ଟକ୍କର । ଜାଣନ୍ତୁ, କିଏ ଏହି ବ୍ୟକ୍ତି?

524

କନକ ବ୍ୟୁରୋ: ଅନେକ ନେତାଙ୍କୁ ଆପଣ ନିର୍ବାଚନ ଲଢୁଥିବା ଦେଖିଥିବେ । ତା ଭିତରୁ କିଛି ଜିତିଥିବେ, ଆଉ କିଛି ହାରିଥିବେ । ତେବେ ହାରିଥିବା ନେତା, ଅନେକ ସମୟରେ ନିଜ ଭାଗ୍ୟକୁ ଦୋଷ ଦେଇ, ଆଉ ନିର୍ବାଚନ ଲଢିବେନି ବୋଲି ନିଷ୍ପତ୍ତି ନେଇଥିବା ଆପଣ ଦେଖିଥିବେ । ହେଲେ ଆଜି ଆମେ ଏମିତି ଜଣେ ଲୋକଙ୍କ କଥା କହିବୁ, ଯିଏ ୨୩୮ ଥର ନିର୍ବାଚନ ଲଢିଛନ୍ତି ଆଉ ପ୍ରତିଥର ପରାଜୟ ଦେଖି ମଧ୍ୟ କେବେ ନିରାଶ ହେଇନାହାଁନ୍ତି । ସେ ହେଉଛନ୍ତି ପଦ୍ମରାଜନ ।

ପଦ୍ମରାଜନ ଆଜି ପର୍ଯ୍ୟନ୍ତ ମୋଟ ୨୩୮ଟି ନିର୍ବାଚନରେ ଠିଆ ହେଇସାରିଛନ୍ତି । ଆଉ ପ୍ରତିଥର ତାଙ୍କୁ ପରାଜୟ ଭୋଗିବାକୁ ପଡିଛି । ତାମିଲନାଡୁ ଏହି ବ୍ୟକ୍ତିଜଣକ ସ୍ଥାନୀୟ ନିର୍ବାଚନଠୁ ଆରମ୍ଭ କରି ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଲଢିସାରିଛନ୍ତି । ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ମଧ୍ୟ ସେ ନିର୍ବାଚନ ଲଢିଛନ୍ତି ।

ଆଜି ଭିତରେ ପଦ୍ମରାଜନ ୫ଥର ରାଷ୍ଟ୍ରପତି ନିର୍ବାଚନ ଲଢିଥିବା ବେଳେ, ୫ ଥର ଉପରାଷ୍ଟ୍ରପତି ନିର୍ବାଚନ, ୩୨ ଥର ଲୋକସଭା ନିର୍ବାଚନ, ୭୨ ଥର ବିଧାନସଭା ନିର୍ବାଚନ, ୩ ଥର ବିଧାନ ପରିଷଦ ନିର୍ବାଚନ ଲଢିଛନ୍ତି । ଗତବର୍ଷ ତେଲେଙ୍ଗାନାରେ ହେଇଥିବା ବିଧାନସଭା ନିର୍ବାଚନରେ ପଦ୍ମରାଜନ ଗଜବେଲ୍ ସିଟରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଯେଉଁଠୁ କି ମୁଖ୍ୟମନ୍ତ୍ରୀ କେସିଆର୍ ନିର୍ବାଚନ ଲଢୁଥିଲେ ।

୧୯୮୮ରେ ଲଢିଥିଲେ ପ୍ରଥମ ନିର୍ବାଚନ

ପଦ୍ମରାଜନଙ୍କର ବର୍ତ୍ତମାନ ବୟସ ହେଉଛି ୬୪ ବର୍ଷ । ସେ ଗତ ୧୯୮୮ ମସିହାରେ ପ୍ରଥମ କରି ନିର୍ବାଚନ ଲଢିଥିଲେ । ସେତେବେଳେ ପ୍ରଥମ କରି ସେ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢିଥିବାବେଳେ, ସେବେଠୁ ଆଜି ପର୍ଯ୍ୟନ୍ତ ନିର୍ବାଚନ ଲଢି ଆସୁଛନ୍ତି । ତେବେ ପଦ୍ମରାଜନଙ୍କର ଟାୟାର ରିପ୍ୟାରିଂ ଦୋକାନ ଥିବାବେଳେ, ସେ ନିଜକୁ ଜଣେ ହୋମିପାଥିକ୍ ଡାକ୍ତର ବୋଲି ମଧ୍ୟ ପରିଚୟ ଦିଅନ୍ତି । ଚର୍ଚ୍ଚାର କଥା ହେଲା, ୨୦୧୪ ମସିହାରେ ପଦ୍ମରାଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । ୨୦୧୯ରେ ସେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଛିଡା ହେଇଥିଲେ ।