ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅନସାରୀଙ୍କ ମୃତ୍ୟୁର ହେବ ତଦନ୍ତ । ୟୁପି ସରକାର ଦେଲେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ

183

କନକ ବ୍ୟୁରୋ: ମୁଖତାର ଅନସାରୀ । ଏହି ମାଫିଆର ନାଁ ଯିଏ ଶୁଣୁଥିଲା ଥରହର ହେଉଥିଲା । କେବଳ ଉତ୍ତରପ୍ରଦେଶ କି ଏହାର ଆଖପାଖ ରାଜ୍ୟ ନୁହେଁ ସାରା ଦେଶରେ ଗ୍ୟାଙ୍ଗଷ୍ଟର ଅନସାରୀର ଭୟ ଥିଲା । ଆତଙ୍କିତ, ଭୟଭୀତ କରି ରଖୁଥିବା ଏହି ଗ୍ୟାଙ୍ଗଷ୍ଟର ଜେଲ ଭିତରେ ଏବେ ମୃତ୍ୟୁ ହୋଇଛି । ଗୁରବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଥିବା ଜେଲ ପ୍ରଶାସନ କହିଛି । ଅନ୍ୟପଟେ ଅନସାରୀକୁ ସ୍ଲୋ ପଏଜନ ବା ବିଷ ଦେଇ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ ଆଣିଛି । ଖାଦ୍ୟରେ ବିଷ ଦିଆଯାଉଥିବା ଅଭିଯୋଗ ଆଣି ଜେଲ ପ୍ରଶାସନ ଓ କୋର୍ଟକୁ ଅଭିଯୋଗ ପତ୍ର ଦେଇଥିଲା ଅନସାରୀ । ଏହି ଚିଠି ବେଶ ଭାଇରାଲ ହେବା ସହ ପରିବାର ନ୍ୟାୟ ଦାବିରେ ଅଡିବସିଛନ୍ତି । ସ୍ଥିତିକୁ ଦେଖି ଗାଜିପୁରରେ ୧୪୪ ଧାରା ଜାରି କରାଯାଇଛି ।

  • ଜେଲରୁ ଅପରାଧ ଦୁନିଆ ଚଳାଉଥିଲା
  • ପିନ୍ଧୁଥିଲା ବୁଲେଟପ୍ରୁଫ ଜ୍ୟାକେଟ, ଲଢ଼ୁଥିଲା ନିର୍ବାଚନ

ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଓ ବାହୁବଳୀ ନେତାର ଜୀବନୀ ଯେତିକି ରୋଚକ ଥିଲା ସେତିକି ଚର୍ଚ୍ଚିତ ରହିଥିଲା । ଜେଲରୁ ଲଢ଼ୁଥିଲା ନିର୍ବାଚନ, ସୁରକ୍ଷା ପାଇଁ ପିନ୍ଧୁଥିଲା ବୁଲେଟପ୍ରୁଫ ଜ୍ୟାକେଟ । ଏପରି ଜେଲ ଚାରିକାନ୍ଥରୁ ଅପରାଧ ସାମ୍ରାଜ୍ୟ ଚଳାଉଥିଲା । ଅନସାରୀର ଭୟରେ ପୁଲିସ ଓ ଜିଲ୍ଲା ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ରହୁଥିଲା ।

ଗ୍ୟାଙ୍ଗଷ୍ଟରରୁ ରାଜନେତା: ମୁଖତାର ଅନସାରୀ

  • ଉତ୍ତରପ୍ରଦେଶର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରେ ଅନସାରୀ ଜନ୍ମ
  • କେବଳ ୧୫ବର୍ଷ ବୟସରେ ଅପରାଧ ଦୁନିଆରେ ଏଟ୍ରିଂ କରିଥିଲା
  • ୨୫ବର୍ଷ ବୟସରେ ତା ନାଁରେ ପ୍ରଥମ ହତ୍ୟା ମାମଲା ରୁଜୁ ହୋଇଥିଲା
  • ଗୋଟିଏ ବର୍ଷରେ ଅନସାରୀ ନାଁର ୧୪ଟି ମାମଲା ରହିଥିଲା
  • ଅପରାଧ ଦୁନିଆର ବାଦଶାହା ୫ଥର ବିଧାୟକ ହୋଇଥିଲା
  • ଅନସାରୀ ପାଖରେ ରହିଛି ୧୨ଶହକୋଟିରୁ ଅଧିକ ଟଙ୍କାର ସମ୍ପତି
  • ୨୧ଶହ କୋଟିର ଅଧିକ ମୂଲ୍ୟର ବ୍ୟବସାୟ ରହିଛି

ଦିନ ଗଢ଼ିବା ସହ ଅନସାରୀର ଅପରାଧ ତାଲିକା ବଢ଼ିଚାଲିଥିଲ । ଗ୍ୟାଙ୍ଗଷ୍ଟର ନାଁରେ ରହିଥିଲା ହତ୍ୟା, ଚୋରି, ଅପହରଣ, ହତ୍ୟା ଧମକ ପରି ଅନେକ ମାମଲା ରହିଥିଲା । ସବୁଠୁ ବଡ କଥା ହେଉଛି ଅପରାଧ ଦୁନିଆର ଗ୍ୟାଙ୍ଗଷ୍ଟର ହୋଇ ଥିଲେ ବି ରାଜନୀତି ଦୁନିଆରେ ଅନସାରୀର ଏଟ୍ରିଂ ବେଶ ଆରାମରେ ହୋଇଥିଲା । ୧୯୯୬ ମସିହାରେ ବହୁଜନ ସମାଜବାର୍ଦି ପାର୍ଟିରୁ ଲଢି ଜିତିଥିଲା । ୧୬ବର୍ଷ ଧରି ବିଭିନ୍ନ ଆଂଚଳିକ ଦଳରେ ଜଡିତ ରହିବା ପରେ ୨୦୧୨ରେ କ୍ୟୁମି ଏକତା ନାଁରେ ରାଜନୈତିକ ଦଳ ଗଠନ କରିଥିଲା ।

ଉଭୟ ଅପରାଧ ଓ ରାଜନୀତିରେ ଅନସାରୀର ଥିଲା ବେଶ ଦବଦବା । ତା ନାଁରେ ଅପରାଧର ଲମ୍ବା ତାଲିକା ରହିଥିଲା । ଉତ୍ତରପ୍ରଦେଶ ଓ ପଞ୍ଜାବର ଅଧିକାଂଶ ଜେଲରେ ବିତିଥିଲା ଗ୍ୟାଙ୍ଗଷ୍ଟରର ଜୀବନ । ଶେଷରେ ସେହି ଜେଲରେ ହିଁ ଆଖିବୁଜିଛି ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ।