ଝାରସୁଗୁଡା ବନ୍ଧବାହାଲ ହତ୍ୟା ଘଟଣାର ପର୍ଦ୍ଦାଫାଶ। ଦେଢବର୍ଷ ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ପାଇଖାନା ଟାଙ୍କିରୁ ଉଦ୍ଧାର।

149

କନକ ବ୍ୟୁରୋ: ଦୀର୍ଘଦିନ ପରେ ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ । ନିଖୋଜ ଯୁବକଙ୍କ ମୃତଦେହ ପାଇଖାନା ଟାଙ୍କୀରୁ ଉଦ୍ଧାର ହୋଇଛି । ଯୁବକ ଜଣଙ୍କୁ ହତ୍ୟା କରି ପୋତି ଦେଇଥିବା ଘଟଣା ସମାନାକୁ ଆସିଥିବା ବେଳେ ତାଙ୍କ ପତ୍ନୀ ହତ୍ୟାକାଣ୍ଡରେ ସାମିଲ ଥିବା ସ୍ୱୀକାର କରିଛନ୍ତି । ଯୁବକ ଜଣକ ହେଉଛନ୍ତି ସୁନ୍ଦରଗଡ ଲହୁଣୀପଡାର ଡମ୍ବରୁଧର ପାତ୍ର । ସେ ଝାରସୁଗୁଡା ବନ୍ଧବାହାଲରେ ତାଙ୍କ ପରିବାର ସହିତ ରହୁଥିଲେ । ହେଲେ ୨୦୨୦ ମସିହା ଜୁନ୍ ୧୬ରେ ଡମ୍ବରୁଧର ନିଖୋଜ ହୋଇଯାଇଥିଲେ । ତାଙ୍କର କୌଣସି ଖୋଜଖବର ମିଳିନଥିଲା । ଶେଷରେ ବନହରପାଳି ପୁଲିସ ଛାନ୍ଭିନ୍ କରି ବନ୍ଧବାହାଲରେ ଥିବା ତାଙ୍କ ଘର ଟାଙ୍କି ତଳୁ ଡମ୍ବରୁଧରଙ୍କ କଙ୍କାଳ ଉଦ୍ଧାର କରିଛନ୍ତି ।

ଡମ୍ବରୁଙ୍କ ପତ୍ନୀ ଓ ଶଳା ମଧ୍ୟ ତାଙ୍କୁୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛନ୍ତି । ପାରିବାରିକ କଳହ ଯୋଗୁ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହୁଥିଲା । ଯାହାପାଇଁ ଉତ୍ୟକ୍ତ ପତ୍ନୀ ନିଜ ଭାଇ ସହିତ ମିଶି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଘର ପଟେ ଥିବା ପାଇଖାନା ଟାଙ୍କିରେ ମୃତଦେହକୁ ପୋତି ଦେଇଥିଲେ । ତେବେ ପ୍ରାୟ ଦେଢବର୍ଷ ପରେ ଘଟଣାସ୍ଥଳରୁ କଙ୍କାଳ ଉଦ୍ଧାର କରାଯାଇଛି । ଘଟଣା ପରେ ପୁଲିସ ଅଧିକ ଛାନ୍ଭିନ୍ ଜାରିରଖିଛି ।