ଘନ କୁହୁଡି କରୁଛି କଲବଲ, ବଳଙ୍ଗାରେ କୁହୁଡି ଯୋଗୁ ଏକର ଏକର ଅମଳ ଫସଲ ପରିବା ନଷ୍ଟ।

78

କନକ ବ୍ୟୁରୋ: ଘନ କୁହୁଡି ଯୋଗୁ ଚିନ୍ତାରେ ପଡିଛି ଚାଷୀକୂଳ । କିଛି ଦିନ ଧରି ଘନକୁହୁଡି ଆସ୍ତରଣ ଜମି ରହୁଛି । ଯାହାଫଲରେ ଚାଷ ସବୁ ନଷ୍ଟ ହେବାରେ ଲାଗିଲାଣି । ପୁରୀ ନିମାପଡାର ବଳଙ୍ଗା ଅଞ୍ଚଳରେ ୧୫ ଦିନ ଧରି କୁହୁଡି ଆସ୍ତରଣ ଜମିଛି । ଏନେଇ ସାଧାରଣ ଜନଜୀବନରୁ ନେଇ ଫସଲ ଉପର ମଧ୍ୟ ପ୍ରଭାବ ପଡୁଛି । ଶୀତ ଦିନିଆ ଫସଲ ସବୁ କ୍ଷତିଗ୍ରସ୍ତ ହୋଇଛି । ଘନ କୁହୁଡି ଯୋଗୂ ତଳିଘେରା ନଷ୍ଟ ହୋଇଯାଇଥିବା ବେଳେ ପତ୍ର ପୋଡିବା ଯୋଗୁ କୋବି ଚାଷ ନଷ୍ଟ ହେବାରେ ଲାଗିଛି । ସେହିଭଳି ପରିବା କଷି ସବୁ ଝଡିପଡୁଛି ।

କୋବିରୁ ନେଇ କାକୁଡି ଆଦି ପନିପରିବା କୁହୁଡି ପ୍ରଭାବରେ ନଷ୍ଟ ହୋଇଯାଉଛି । ଦିନକୁ ଦିନ ବିଭିନ୍ନ ପନିପରିବାର ଅମଳ କମି କମି ଯାଉଛି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ଫସଲ କରିଥିବା ବେଳେ ଅମଳ ସମୟରେ ଏବେ ନଷ୍ଟ ହେବାରେ ଲାଗିଛି ଫସଲ ସବୁ । ଚାଷୀ ସର୍ବସ୍ୱାନ୍ତ ହୋଇପଡ଼ିଥିବା ବେଳେ ଏବେ ଚାଷରେ ଲାଗିଥିବା ଟଙ୍କା କିଭଳି ମିଳିବ ସେ ନେଇ ଚିନ୍ତାରେ ପଡିଛି ଚାଷୀ କୂଳ । ଏହିଭଳି କୁହୁଡି ଆଗକୁ ରହିଲେ ଚାଷୀ କ୍ଷତି ସହିବା ସହ ଏହାର ପ୍ରଭାବ ଖାଉଟିଙ୍କ ଉପରେ ମଧ୍ୟ ପଡିବ ।