ଭାରତୀୟ ହକି ଦଳର ୪୧ ବର୍ଷ ଅପେକ୍ଷାର ଅନ୍ତ : ବିଜୟରେ ରୋମାଞ୍ଚ ଆଣିଥିଲା ସେଇ ଶେଷ ୬ ସେକେଣ୍ଡ

235

କନକ ବ୍ୟୁରୋ : ଭାରତୀୟ ହକି ଦଳର ୪୧ ବର୍ଷର ଅପେକ୍ଷାର ଅନ୍ତ ହୋଇଛି । ମନପ୍ରୀତ ସିଂହଙ୍କ ଦଳ ବିଜୟୀ ହୋଇ ଅଲିମ୍ପିକ୍ସରୁ ବ୍ରୋଂଜ ପଦକ ଜିତିଛି । ଏହି ରୋମାଂଚକର ମୁକାବିଲା ଉପରେ ସାରା ଦେଶର ନଜର ଥିଲା । ହେଲେ ବେଶ୍ ରୋମାଂଚ ଆଣି ଦେଇଥିଲା ଶେଷ ୬ ସେକେଣ୍ଡ । ନିର୍ଣ୍ଣାୟକ କ୍ୱାର୍ଟରରେ ୫-୪ରେ ଆଗୁଆ ଥିଲା ଭାରତ । ମ୍ୟାଚ୍ ସରିବାକୁ ଆଉ ୬ ସେକେଣ୍ଡ ଥାଏ । ଜର୍ମାନୀକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର । ଭାରତୀୟଙ୍କ ହୃଦସ୍ପନ୍ଦନ ବଢିବାରେ ଲାଗିଥିଲା ।

ଶେଷ ୬ ସେକେଣ୍ଡରେ କ’ଣ ହେବ ? ହେଲେ ଗୋଲ ପୋଷ୍ଟରେ ପାଚେରୀ ହୋଇ ଛିଡା ହୋଇଥିଲେ ଗୋଲକିପର ପିଆର ଶ୍ରୀଜେସ । ଗୋଲକୁ ଅଟକାଇ ଭାରତକୁ ଶ୍ରୀଜେଶ ଦେଇଥିଲେ ଐତିହାସିକ ବିଜୟ । ଭାରତ ୫-୪ରେ ଜିତି ୪୧ ବର୍ଷ ପରେ ବ୍ରୋଂଜ ପଦକ ଜିତିଲା । ଏହା ପରେ ଏବେ ଚର୍ଚ୍ଚାରେ ଶ୍ରୀଜେଶ । ତାଙ୍କୁ ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ରାହୁଲ ଦ୍ରାବିଡଙ୍କ ସହ ତୁଳନା କରାଯାଉଛି । ଦିନେ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ପାଚେରୀ ହୋଇ ଛିଡା ହେଉଥିଲେ ଦ୍ରାବିଡ଼ ।

ଏବେ ଶ୍ରୀଜେଶଙ୍କ ଗୋଲ ସେଭ୍ ଯୋଗୁଁ ଐତିହାସିକ ବିଜୟ ହାସଲ କରିଛି ଭାରତ । ଏହି ବିଜୟ ପରେ ଶ୍ରୀଜେଶଙ୍କ ପରିବାରରେ ମଧ୍ୟ ଖୁସିର ମାହୋଲ । ପରିବାର ଲୋକେ ଏକାଠି ହୋଇ ମ୍ୟାଚ୍ ଦେଖିଥିଲେ । ଆଉ ଦଳ ବିଜୟୀ ହେବା ପରେ ଆରମ୍ଭ ହୋଇଥିଲା ସେଲିବ୍ରେସନ୍ । ବାଣ ଫୁଟାଇ ପରିବାର ଲୋକେ ଉତ୍ସବ ମନାଇଥିଲେ ।