ଭାରତୀୟ ପୁରୁଷ ହକି ଦଳର ଖେଳାଳିଙ୍କ ସହ କଥା ହେଲେ ନବୀନ : ଚିତାକର୍ଷକ ବିଜୟ ପାଇଁ ଫୋନ କରି ଜଣାଇଲେ ଶୁଭେଚ୍ଛା

189

କନକ ବ୍ୟୁରୋ : ଟୋକିଓରେ ଭାରତର ଟେକ ରଖିଛି ପୁରୁଷ ହକି ଦଳ । ଏହି ଐତିହାସିକ ମୁହୁର୍ତ୍ତର ସାକ୍ଷୀ ପାଲଟିଛି ସାରା ଦେଶ । ଟିଭି ଆଗରେ ବସି ଖେଳ ଦେଖୁଥିବା ଦର୍ଶକଙ୍କ ଠାରୁ ଆରମ୍ଭ କରି ହକିକୁ ଭଲ ପାଉଥିବା କ୍ରୀଡାପ୍ରେମୀଙ୍କୁ ଏହି ସଫଳତା ବେଶ ଆନନ୍ଦ ଆଣିଦେଇଛି । ଆପଣ ଜାଣିଛନ୍ତି ସ୍କୁଲ ଟିମରେ ଗୋଲ୍ କିପର ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମ୍ବେଦନଶୀଳ ସମୟରେ ଭାରତୀୟ ହକିର ହାତ ଧରିଥିଲେ ।

ସାହାରା ଯେତେବେଳେ ହକିର ପ୍ରାୟୋଜକରୁ ଓହରି ଯାଇଥିଲା ଠିକ୍ ସେହି ସମୟରେ ୫ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ପାଲଟିଥିଲା ଓଡ଼ିଶା । ତେଣୁ ଭାରତୀୟ ପୁରୁଷ ହକି ଦଳ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପାଇଥିବା ସଫଳତା ସବୁଠାରୁ ବେଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନନ୍ଦିତ କରିଛି । ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ ପରେ ନିଜେ ଫୋନ କରି ଖେଳାଳି ମାନଙ୍କ ସହିତ କଥା ହୋଇଛନ୍ତି ନବୀନ ପଟ୍ଟନାୟକ । ଚିତାକର୍ଷକ ବିଜୟ ପାଇଁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି ।