ତୱାଙ୍ଗ ସଂଘର୍ଷ ପରେ ଚୀନକୁ ଚେତାବନୀ । ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ବ୍ୟବହାରିକ ପରୀକ୍ଷଣ କଲା ଭାରତ । ଲକ୍ଷ୍ୟ ଭେଦ କ୍ଷମତା ସାଢ଼େ ୫ ହଜାର କିଲୋମିଟର

173

କନକ ବ୍ୟୁରୋ: ଭାରତ ଚୀନ ସୀମାରେ ଯେତେବେଳେ ଉତ୍ତେଜନା ଲାଗି ରହିଛି । ଚୀନ ସେନା ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ନେଇ ଦୁଇ ଦେଶର ସେନା ଭିତରେ ସଂଘର୍ଷ ହୋଇଛି, ସେତିକିବେଳେ ଭାରତ ନିଜର ସବୁଠାରୁ ଶକ୍ତିଶାଳୀ ମିଜାଇଲ ଅଗ୍ନି-୫ର ବ୍ୟବହାରିକ ପରୀକ୍ଷଣ କରିଛି । ଧାମରାର ଅବୁଦୁଲ କଲାମ ଦ୍ୱୀପରୁ ଏହି ମିସାଇଲର ପରୀକ୍ଷଣ ହୋଇଛି । ଭାରତର ଏହି ପରୀକ୍ଷଣରେ ଚୀନ ଭୟଭୀତ ହୋଇପଡିଛି ଏବଂ ଚୀନର ଟେନସନ ବଢିଯାଇଛି ।

ନିକଟରେ ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ଏହାପରେ ଭାରତ ଶକ୍ତିଶାଳୀ ଅଗ୍ନି-୫ର ବ୍ୟବହାରିକ ପରୀକ୍ଷଣ ପାଇଁ ଘୋଷଣା କରିଥିଲା । ଏହି ମିଶାଇଲର ଲକ୍ଷ୍ୟଭେଦୀ କ୍ଷମତା ହେଉଛି ୫ ହଜାର ୫ ଶହ କିଲୋମିଟର । ଏହି ରେଞ୍ଜରେ ଚୀନଠାରୁ ଆରମ୍ଭ କରି ଋଷ ବି ଆସୁଛି । ଏହାଛଡା ଏହି ମିସାଇଲ ୧ ହଜାର ୩୬୦ କିଲୋଗ୍ରାମର ଆଣବିକ ହତିଆର ନେବା ପାଇଁ ବି ସକ୍ଷମ ଅଛି । ଅଗ୍ନି-୫ର ଲମ୍ବା ୧୭.୫ ମିଟର ହୋଇଥିବାବେଳେ ଓଜନ ୫୦ ହଜାର କିଲୋଗ୍ରାମ ବୋଲି ଜଣାପଡିଛି ।

ଅଗ୍ନି-୫ ମିସାଇଲ ଭାରତର ପ୍ରଥମ ଓ ଏକମାତ୍ର ଇଣ୍ଟରକଣ୍ଟିନେଟାଲ ବାଲାଷ୍ଟିକ ମିସାଇଲ ବୋଲି କୁହାଯାଉଛି । ଏହି ମିସାଇଲର ରେଞ୍ଜରେ ପାକିସ୍ତାନ ଓ ଚୀନ ବି ଆସୁଛି । ଏହି ମିସାଇଲକୁ ଡିଆରଡିଓ ପ୍ରସ୍ତତ କରିଛି ଓ ଏହା ଏକା ସଙ୍ଗରେ ଅନେକ ଯୁଦ୍ଧାସ୍ତ୍ର ନେବାରେ ସକ୍ଷମ । କୁହାଯାଉଛି, ଅଗ୍ନି-୫ ଏକାଥରକେ ଅନେକ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରେ । ଅଗ୍ନି-୫କୁ ଅତି ସହଜର ଓ ଅଳ୍ପ ସମୟରେ ମୁତୟନ କରାଯାଇପାରିବ । ଏହି ମିସାଇଲ ଘଣ୍ଟାପ୍ରତି ୨୯ ହଜାର ୪୦୧ କିଲୋମିଟର ବେଗରେ ଯାଇପାରିବ ।

ତେବେ ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଭାରତ ଚୀନକୁ ଚେତାବନୀ ଦେଇଥିବା ବେଳେ ପରୀକ୍ଷଣ ବେଳେ ଏହାର ଆଲୋକ ରାଜ୍ୟର ବିଭିନ୍ନ ଅଞ୍ଚଳେରେ ଦେଖିବାକୁ ମିଳିଛି । ୧୦ଟି ଜିଲ୍ଲାରେ ଏହା ଦୃଶ୍ୟମାନ ହୋଇଛି । କଟକ ଜିଲ୍ଲାର ଟାଙ୍ଗୀ, କେନ୍ଦୁଝରର ଆନନ୍ଦପୁର, ଗଞ୍ଜାମର ଖଲ୍ଲିକୋଟ, ବାଲେଶ୍ୱର ଓ ବସ୍ତା, ଭଦ୍ରକର ଚାନ୍ଦବାଲି, ଯାଜପୁର, କେନ୍ଦ୍ରାପଡ଼ା, ପୁରୀର ଅସ୍ତରଙ୍ଗ ଓ ସୁନ୍ଦରଗଡ଼ ଜିଲ୍ଲା ଆକାଶରେ ଆଖି ଝଲସେଇବା ଭଳି ଆଲୋକ ଦେଖିବାକୁ ମିଳିଛି । ଏହାକୁ ନେଇ ଲୋକଙ୍କ ମନରେ ଉତ୍ସୁକତା ଭରିଯାଇଥିଲା । ପ୍ରକୃତରେ ଏହା କ’ଣ ବୋଲି ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଥିଲା । ହେଲେ ଅଗ୍ନି-୫ ପରୀକ୍ଷଣ ଖବର ଆସିବା ପରେ ଅନୁମାନ କରାଯାଉଛି ଯେ, ଏହି ଆଲୋକ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ହୋଇଥାଇପାରେ ।