ଦିଲ୍ଲୀ ଦରବାରରେ ଉଠିଲା ‘ଅର୍ଚ୍ଚନା’ ପ୍ରସଙ୍ଗ । ଲୋକସଭାରେ ସିବିଆଇ ତଦନ୍ତ ଦାବି କଲେ ବରଗଡ ସାଂସଦ ସୁରେଶ ପୂଜାରୀ 

ବରଗଡ ସାଂସଦ କହିଲେ, ସମସ୍ତଙ୍କ ଲାଇ-ଡିଟେକସନ ଟେଷ୍ଟ କଲେ ଖୋଲିବ ପୂରା ଗୁମର 

75

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟରେ ଇଡି ଖୋଳତାଡ଼ କରୁଥିବା ବେଳେ ଏବେ ଏହି ମାମଲା ସଂସଦରେ ଉଠିଛି । ଲୋକସଭାରେ ଅର୍ଚ୍ଚନା ନାଗଫାଶ ପ୍ରସଙ୍ଗ ଉଠାଇଛନ୍ତି ବିଜେପିର ବରଗଡ଼ ସାଂସଦ ସୁରେଶ ପୂଜାରୀ । ମାମଲାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଏହାସହ ଅର୍ଚ୍ଚନାଙ୍କ ସମ୍ପର୍କରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଇ-ଡିଟେକସନ ଟେଷ୍ଟ କରିବାକୁ ସେ ଦାବି ରଖିଛନ୍ତି ।

  • ପାର୍ଲାମେଣ୍ଟରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ
  • ସିବିଆଇ ତଦନ୍ତ ଦାବି କଲେ ସୁରେଶ ପୂଜାରୀ 

ଅର୍ଚ୍ଚନା ନାଗଙ୍କ ହନିଟ୍ରାପ୍ ଓ ମନି ଲଣ୍ଡରିଂ ମାମଲା ଓଡିଶା ଡେଇଁ ଏବେ ଦିଲ୍ଳୀରେ ପହଁଞ୍ଚିଛି । ବିଜେପି ସାଂସଦ ସୁରେଶ ପୂଜାରୀ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଅର୍ଚ୍ଚନାଙ୍କ ନାଗଫାଶରେ ବହୁ ବଡ ବଡିଆ ଫଶିଥିବାର ଅଭିଯୋଗ କରି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । କହିଛନ୍ତି, ଅର୍ଚ୍ଚନାଙ୍କ ହନିଟ୍ରାପରେ ବଡ ବଡ ରାଜନେତା, ବଡ ବ୍ୟବସାୟୀ, ବିଲଡର, ଫିଲ୍ମ ପ୍ରଯୋଜକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଫିସର ଫଶିଛନ୍ତି ।

ଅର୍ଚ୍ଚନା ଏକ ବଡ ସେକ୍ସ ର୍ୟାକେଟ ଚଳାଉଥିଲେ । ସେହି ସେକ୍ସ ର୍ୟାକେଟ ସହାୟତାରେ ସେ ବହୁ ଲୋକଙ୍କୁ ପ୍ରଭାବିତ କରି ବିଭିନ୍ନ ପ୍ରକାର ସୁବିଧା ହାତେଇଥିଲେ । ତେଣୁ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ସୁରେଶ କହିଛନ୍ତି । ଅନ୍ୟପଟେ କେବଳ ସିବିଆଇ ତଦନ୍ତ ନୁହେଁ ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର କରିବାକୁ ଦାବି କରିଛନ୍ତି ପୂଜାରୀ । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ସମସ୍ତଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି ।

ପୂର୍ବରୁ ବିଧାନସଭାରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ହଲ୍ଲାବୋଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ଅନ୍ୟପଟେ ଏହି ମାମଲାରେ ଇଡି ତଦନ୍ତ ଜାରି ରହିଛି । ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଥିବା ୧୦ଜଣଙ୍କୁ ପଚରାଉଚୁରା କରିବା ପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ପଚାରାଉଚୁରା କରୁଛି ଇଡି ।

  • ଇଡି ଆଗରେ ଅର୍ଚ୍ଚନାଙ୍କ ଅଭିନୟ! 
  • ଅସୁସ୍ଥ ଅଭିଯୋଗ ପରେ, ଯାଞ୍ଚ କଲେ ଡାକ୍ତର 

ପ୍ରଥମ ୭ଦିନ ଇଡି ଅଧିକାରୀଙ୍କୁ ଭୁଆଁ ବୁଲାଇବା ପରେ ଦ୍ୱିତୀୟ ଦଫାରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସ୍ୱାମୀ ଜଗବନ୍ଧୁଙ୍କୁ ବି ରିମାଣ୍ଡରେ ନେଇଛି । ଉଭୟଙ୍କୁ ସାମନା ସାମ୍ନି ବସାଇ ନାଗ ପେଡି ଖୋଲିବାକୁ ଇଡି ଅଧିକାରୀମାନେ ମାରାଥନ ଜେରା କରୁଛନ୍ତି । ହେଲେ, ରିମାଣ୍ଡର ସମୟ ଗଡାଇବା ପାଇଁ ଚାଲାକ ଅର୍ଚ୍ଚନା ପୁଣି ନୂଆ ନାଟକ କରିଛନ୍ତି । ସୂଚନା ଅନୁସାରେ ଜେରା ବେଳେ ସେ ଦେହ ଖରାପର ଅଭିନୟ କରିଥିଲେ । ଅର୍ଚ୍ଚନାଙ୍କ ଅଭିନୟ ଦେଖି ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଡାକ୍ତରଙ୍କୁ ଡକାଯାଇଥିଲା । ହେଲେ, ସେ ସୁସ୍ଥ ଥିବା କହିଥିଲେ ଡାକ୍ତର । ତାପରେ ପୁଣି ନାଗ-ଚାନ୍ଦ ଦମ୍ପତିଙ୍କୁ ଗୋଟିଏ ରୁମରେ ବସାଇ ପୁଣି ଜେରା କରୁଛନ୍ତି ଇଡି ଅଧିକାରୀ । ତେବେ ଇଡିକୁ ଭୁଆଁ ବୁଲାଇବା କଥାକୁ ଖଣ୍ଡନ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ ।

ଅର୍ଚ୍ଚନା ନାଗଙ୍କ ମାମଲାରେ ଇଡି ତଦନ୍ତ କରୁଛି । କିନ୍ତୁ ଏହି ମାମଲାରେ ଏଭଳି ଅନେକ ଦିଗ ରହିଛି ଯାହା ପୋଲିସର ତଦନ୍ତ ପରିସରଭୁକ୍ତ । ସେହି ସବୁ ଦିଗରେ ଇଡି ତଦନ୍ତ କରିପାରିବ ନାହିଁ । କିନ୍ତୁ ପୋଲିସ ଠିକରେ ତଦନ୍ତ କରୁନଥିବାରୁ, ସିବିଆଇ ତଦନ୍ତ କଲେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର କାହାଣୀ ପଦାକୁ ଆସିବ ବୋଲି କୁହାଯାଉଛି ।