ପୁଣି ବଢୁଛି କରୋନା ସଂକ୍ରମଣ । ଜରୁରୀ ବୈଠକ ଡକାଇଲେ ଦିଲ୍ଲୀ ସରକାର, ସତର୍କ ରହିବାକୁ ପରାମର୍ଶ

118

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବଢିବାରେ ଲାଗିଛି । ରାଜଧାନୀର ସ୍ଥିିତି ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ବସିଛି ଜରୁରୀ ବୈଠକ । କରୋନା ସଂକ୍ରମଣ ବଢୁଥିଲେ ମଧ୍ୟ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ଏଥି ସହ କରୋନା ସହ ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୯୫ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ମୋଟ ୯୩୨ ସକ୍ରିୟ ମାମଲା ଥିବା ଜଣାପଡ଼ିଛି । କରୋନାର ନୂଆ ଭାରିଆଣ୍ଟ ଏକ୍ସବିବି ୧.୧୬ ବ୍ୟାପୁଥିବାବେଳେ ସର୍ଦ୍ଦି ,ଇନଫ୍ଲୁଏଞ୍ଜା ପରି ଲକ୍ଷଣ ଥିଲେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଏୟାରପୋର୍ଟରେ ମଧ୍ୟ ଟେଷ୍ଟିଂ ପ୍ରକ୍ରିୟା ଚାଲିଛି ଯାହା ଏତେ ମାତ୍ରାରେ ଚିନ୍ତାଜନକ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣ ୩ ହଜାର ୯୫ ଥିବା ଜଣାପଡ଼ିଛି । ଯାହା ଚଳିତ ବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ । ସେହିପରି ଦେଶରେ ସକ୍ରିୟ ସଂଖ୍ୟା ବୃଦ୍ଧି ପାଇ ୧୫ ହଜାର ୨୦୮ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି । ଦେଶରେ ଦୈନିକ ପଜିିଟିଭିଟି ହାର ୨ ଦଶମିକ ୬୧ ପ୍ରତିଶତ ଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୧ ଦଶମିକ ୯୧ ପ୍ରତିଶତ ରହିଛି । ଅନ୍ୟପଟେ କରୋନାର ନୂଆ ଭ୍ୟାରିଆଣ୍ଟକୁ ନେଇ ଲୋକମାନେ ଭୟଭୀତ ଥିବାବେଳେ ଏହାକୁ ନଡ଼ରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି ।

କାରୋନା ସଂକ୍ରମଣ ବଢ଼ୁଥିବାବେଳେ ସାମାଜିକ ଦୂରତା ଅବଲମ୍ବନ ଓ ଭିଡ଼ ସ୍ଥାନରୁ ଦୂରେଇ ରହିବା ସହ ଆବଶ୍ୟକ ଅନୁଯାୟୀ ସଚେତନ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ସରକାରଙ୍କୁ ସତର୍କ କରାଯାଇଛି ।