ନୂଆ ଅବକାରୀ ନୀତି : ମହଙ୍ଗା ହେବ ମଦ, ଗାଁରେ ଖୋଲିବନି ନୂଆ ଦୋକାନ । ବିୟର ପାର୍ଲରରେ ବିକ୍ରିହେବ ୱାଇନ, ସମୁଦ୍ର କୂଳରେ ବି ମିଳିବ ମଦ

163

କନକ ବ୍ୟୁରୋ: ରାଜ୍ୟ ସରକାର ୨୦୨୩-୨୪ ବର୍ଷ ପାଇଁ ଆଣିଛନ୍ତି ନୂଆ ଅବକାରୀ ନୀତି । ନୂଆ ଅବକାରୀ ନୀତି ଅନୁସାରେ, ଗାଁରେ ଖୋଲିବନି ନୂଆ ମଦ ଦୋକାନ । କିନ୍ତୁ ଏଣିକି ବିୟର ପାର୍ଲରରେ ମିଳିବ ୱାଇନ୍ । ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଏଣିକି ସମୁଦ୍ର କୂଳରେ ବି ମଦ ମିଳିବ । ତେବେ କେବଳ ଓଟିଡିସି ହିଁ ବିକ୍ରି କରିପାରିବ । ତେବେ ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ଦ୍ୱାରା ମଦ ବିକ୍ରି କମିବ ନା ବଢ଼ିବ ସେ ନେଇ ବିତର୍କ ଆରମ୍ଭ ହୋଇଛି ।

  • ଗାଁରେ ଖୋଲିବନି ନୂଆ ମଦ ଦୋକାନ
  • ମହଙ୍ଗା ହୋଇପାରେ ମଦ
  • ରାଜ୍ୟରେ କମିବ କି ମଦ ବିକ୍ରି?

ମଦ ବିକ୍ରି କମାଇବା ଲାଗି ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଭିତରେ ଏପ୍ରିଲ ମାସରୁ ଲାଗୁ ହେବ ନୂଆ ଅବକାରୀ ନୀତି । ମଦର ପ୍ରସାର ଦେଇ ନୂଆ ଅବକାରୀ ନୀତିରେ ସେପରି ବଡ଼ ନିଷ୍ପତି ନିଆଯାଇ ନାହିଁ, ତେବେ ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବନି । କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା ଲାଇସେନ୍ସ ପ୍ରଦାନ କରାଯିବ ।

ବିୟର ଦୋକାନରେ ମିଳିବ ୱାଇନ୍ । ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ସମୁଦ୍ର କୂଳରେ ମଦ ମିଳିବ । ମଦ ବିକ୍ରି ପାଇଁ ଓଟିଡିସିକୁ ଅନୁମତି ଦିଆଯାଇଛି । ସେପଟେ ଅବକାରୀ ମନ୍ତ୍ରୀ ହାଲୁକା ମନ୍ତବ୍ୟ ଦେଇ କହିଛନ୍ତି, ଲୋକେ ମଦ କିଣନ୍ତୁ, ପିଅନ୍ତୁ କିନ୍ତୁ ଲାଇସେନ୍ସ ହୋଲ୍ଡରଙ୍କଠାରୁ । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

କ’ଣ ରହିଛି ନୂଆ ଅବକାରୀ ନୀତିରେ

  • ଲାଇସେନ୍ସ ଫି’, ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’ ସାମାନ୍ୟ ବଢ଼ିଛି
  • ଯୋଗାଣକାରୀ, ରିଟେଲର୍ ଫି’ ମଧ୍ୟ ବଢ଼ିବ
  • ଭାରତ ପ୍ରସ୍ତୁତ ବିଦେଶୀ ମଦ ଦର ମଧ୍ୟ ସାମାନ୍ୟ ବୃଦ୍ଧି ପାଇବ
  • ଅପରିବର୍ତ୍ତିତ ରହିବ ବିଦେଶରେ ପ୍ରସ୍ତୁତ ବିଦେଶୀ ମଦ ମୂଲ୍ୟ

ନୂଆ ଅବକାରୀ ନୀତି

  • ମଦ ଦୋକାନରେ ‘ସରକାରୀ’ ଲେଖାଯିବନି
  • ସାଇନବୋର୍ଡରେ ‘ସ୍ୱୀକୃତିପ୍ରାପ୍ତ ମଦ ଦୋକାନ’ ଲେଖିହେବ
  • ଦେବାଦେବୀ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିପାରିବ ନାହିଁ
  • ଦୋକାନ ସାମ୍ନାରେ ମୂଲ୍ୟ ସୂଚୀ ଝୁଲାଇବାକୁ ପଡ଼ିବ
  • ‘ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ’ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖାଯିବ

ସରକାରଙ୍କ ନୂଆ ଅବକାରୀ ନୀତି ରାଜ୍ୟରେ ମଦ ବିକ୍ରି ବଢ଼ାଇବ ନା’ କମାଇବ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।