ଭାରତ-ଚୀନ ସୀମା ବିବାଦ: ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ। ଇଞ୍ଚେ ଜମି ଛାଡିବୁନି: ଗୃହ ଓ ପ୍ରତିିରକ୍ଷା ମନ୍ତ୍ରୀ

157

କନକ ବ୍ୟୁରୋ: ୨୦୨୦ ମସିହାରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଏହାପରେ ଡିସେମ୍ବର ୯ ତାରିଖରେ ଦୁଇ ଦେଶର ସେନା ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ମୁହାଁମୁହିଁ ହୋଇଛନ୍ତି । ଗଣ୍ଡଗୋଳରେ ଭାରତର ୨୦ରୁ ଅଧିକ ଯବାନ ଆହତ ହୋଇଥିବା ବେଳେ ଚୀନର ତାଠୁ ଅଧିକ ସୈନିକ ଆହତ ହୋଇଥିବା ସୂଚନା ମିଳିଛି । ଡିସେମ୍ବର ୯ ତାରିଖରେ ଘଟିଥିବା ଏହି ଘଟଣା ସମ୍ପର୍କରେ ସୋମବାର ସନ୍ଧ୍ୟାରେ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାପରେ ଭାରତରେ ଚୀନ ବିରୋଧୀ ମାହୋଲ ବଢିଛି । ମଙ୍ଗଳବାର ଏହି ଘଟଣାକୁ ନେଇ ସଂସଦରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀ ଦଳ ଗୁଡିକ ସୀମା ବିବାଦ ନେଇ ସରକାରଙ୍କୁ ଘେରିଛନ୍ତି । ତେବେ ଏହାର ଦୃଢ ଜବାବ ରଖିଛନ୍ତିି ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତର ରଖିବା ସମୟରେ ବିରୋଧୀ ସାଂସଦମାନେ ଗୃହରୁ ଉଠି ପଳାଇଥିଲେ । ସବୁ ପ୍ରସଙ୍ଗ ଛାଡି ପ୍ରଥମେ ସୀମା ବିବାଦ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ । ଭାରତର ସୁରକ୍ଷା ସମସ୍ୟାକୁ ନେଇ ରାଜନୀତି କରିବାକୁ ଆମେ ଚାହୁଁନାହୁଁ । ଦେଶ ସହ ଏକାଠି ଠିଆ ହୋଇଛୁ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ହେଲେ ୨୦୨୦ ମେ ମାସରୁ ସୀମା ନିକଟରେ ଚୀନ ସେନାର ଏଭଳି ବିଧିଉଲଙ୍ଘନକୁ ନେଇ ମୋଦୀ ସରକାରଙ୍କୁ ସତ କହିବାକୁ ଆହ୍ୱାନ ଦେଇଛନ୍ତି ଖଡଗେ ।

ଅରୁଣାଚଳର ତୱାଙ୍ଗ୍ ଉପରେ ଚୀନର ଆଖି ପଡିଛି, ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ଆମ ଯବାନ ଯାହା କରିଦେଖାଇଛନ୍ତି ସେଥିପାଇଁ ସାରା ଦେଶର ସମର୍ଥନ ଅଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ସାଂସଦ ଶଶି ଥରୁର ।

ଭାରତକୁ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ତିନି ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୧୦ ତାରିଖରେ ବାୟୁସେନା ମୁଖ୍ୟ ଏୟାର ମାର୍ସଲ ଭିଆର ଚୌଧୁରୀ କହିଥିଲେ । ହେଲେ ଡିସେମ୍ବର ୯ ତାରିଖରେ ଦୁଇ ଦେଶର ସେନା ମୁହିାଁମୁହିଁ ହୋଇଥିବା ନେଇ କାହିଁକି କିଛି କହିନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଭାରତ ସହ ଚୀନର ୩ ହଜାର ୪ ଶହ ୮୮ କିଲୋମିଟର ସୀମା ରହିଛି । ଚୀନ ସୀମା ସହ ଲାଗିଛି ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଏବଂ ଅରୁଣାଚଳ ପ୍ରଦେଶର ସୀମା ।ଏଲଏସିରେ କେତେକ ସେକ୍ଟରରେ ଚୀନ ସହ ଥିବା ସୀମା ବିବାଦର ସମାଧାନ କଥାବର୍ତା, କୁଟନୀତି ମାଧ୍ୟମରେ କରାଯାଇଛି । ହେଲେ ତୱାଙ୍ଗ୍ ଭଳି ଆଉ କିଛି ସେକ୍ଟରରେ ଏବେବି ବିବାଦ ଲାଗିରହିଛି ।