ଚୀନ୍ ସୀମାରେ ଭାରତୀୟ ବାୟୁସେନାର ପଇଁତରା। ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ।

114

କନକ ବ୍ୟୁରୋ: ଡିସେମ୍ବର ୯. ଅରୁଣାଚଳପ୍ରଦେଶର ତୱାଙ୍ଗ । ଏଲଏସିରେ ୩ଶହ ଡ୍ରାଗ ସୈନିକଙ୍କ ଅନୁପ୍ରବେଶ ପାଇଁ ଜୋର ଉଦ୍ୟମ । ତେବେ ସେମାନଙ୍କୁ ଅଟକାଇଲେ ଭାରତୀୟ ଯବାନ । ଚାଇନାର ଉଦ୍ୟମ ପଣ୍ଡ ହୋଇଛି । ଗୋଟେ ପଟେ ଶାନ୍ତିରେ କଥା କହି ଅନ୍ୟପଟେ ସୀମାରେ ଅଶାନ୍ତି ସୃଷ୍ଟି କରୁଛି ଚୀନ । ଡିସେମ୍ବର ୯ତାରିଖରେ ପାଖାପାଖି ୩ଶହ ଚୀନ ସୈନିକ ତୱାଂଗର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ଅଟକାଇଛି ଭାରତୀୟ ସେନା । ସୂଚନା ଅନୁସାରେ ଡ୍ରାଗନ ସେନାର ପ୍ରାୟ ୩ଶହ ଯବାନ ଅଚାନକ୍ ୯ ତାରିଖରେ ଏଲଏସି ଅତିକ୍ରମ କରି ଗଣ୍ଡଗୋଳ କରିଥିଲେ । ଏହାର ମୁକାବିିଲା କରିଥିଲେ ଉପସ୍ଥିତ ଥିବା ଭାରତୀୟ ଯବାନ । ଘଟଣାରେ ଚୀନର କିଛି ସୈନିକ ଆହତ ହୋଇଛନ୍ତି । ସେହିପରି ଭାରତର କିଛି ଯବାନଙ୍କୁ ସାମାନ୍ୟ ଆଘାତ ଲାଗିଥିବା ଗୃହରେ ଉତ୍ତର ରଖି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେପଟେ ସୁରକ୍ଷାସ୍ଥିତିକୁ ଦୃଷ୍ଟିରେ ଏଲଏସିରେ ପାଟ୍ରୋଲିଂକୁ ଜୋରଦାର କରିଛି ଭାରତ । ସ୍ଥଳ, ଜଳ ଓ ଆକାଶ ପଥରୁ ଶତ୍ରୁଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ବାରମ୍ବାର ଏଭଳି ଘଟଣା ଘଟୁଛି ଓ ଦୁଇ ଦେଶ ଶାନ୍ତି ଆଲୋଚନା ମାଧ୍ୟରେ ଏହାର ସମାଧାନ ଖୋଜୁଛନ୍ତି । କମାଣ୍ଡରସ୍ତରୀୟ ବୈଠକରେ କିଛି ନିଷ୍କର୍ସ ମଧ୍ୟ ବାହାରିପାରୁନି । ଏବେ ପ୍ରଶ୍ନ ଉଠୁଛି ଭାରତ ପାଖରେ ଏଭଳି କଣ ବିକଳ୍ପ ରହିଛି ଯାହା ଦ୍ୱାରା ଚୀନକୁ ସାମରିକ ଓ କୁଟନୀତିସ୍ତରରେ ରୋକାଯାଇପାରିବ ।

• ୧-ସୀମା ନିକଟରେ ଭାରତ ନିଜର ଭିତିଭୂମି ମଜବୁତ କରିବା ଜରୁରୀ । ୪ହଜାର କିଲୋମିଟର ଲମ୍ବା ସୀମାରେ ଚୀନ ଯେପରି ନିଜର ସ୍ଥିତିକୁ ମଜବୁତ କରୁଛି ଠିକ ସେହିଭଳି ଭାରତକୁ ମଧ୍ୟ କରିବାକୁ ପଡିବ ।

• ୨-ଭାରତ ସହ କେବଳ ଚୀନର ସୀମା ବିବାଦ ରହିନି । ମୋଟ ୧୭ଟି ଦେଶ ସହ ଚୀନର ତିକ୍ତାପୂର୍ଣ୍ଣ ସୀମା ବିବାଦ ରହିଛି । ଅନ୍ୟପଟେ ଦକ୍ଷିଣ ଚୀନ ସାଗରରେ ମଧ୍ୟ କିଛି ଦ୍ୱୀପ ରହିଛି ଯାହା ଉପରେ ଚୀନ କବଜା କରିଛି ଓ ଏନେଇ ବିବାଦ ଚାଲିଛି । ଏହି ସବୁ ଦେଶମାନଙ୍କ ସହ ଭାରତ ସାମରିକ ବୁଝାମଣା ବୃଦ୍ଧି କଲେ ଚୀନ ଉପରେ ଅଧିକ ଚାପ ପ୍ରୟୋଗ କରାଯାଇପାରିବ ।

• ୩-ଭାରତ- ଆମେରିକାର ସମ୍ପର୍କ ଚୀନ ପାଇଁ ସବୁଠୁ ବଡ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଯଦି ଆମେରିକା ସହ ଭାରତର କୁଟନୀତି ଓ ସାମରିକ ସର୍ମ୍ପକ ଅଧିକରୁ ଅଧିକ ମଜବୁତ ହୁଏ ତେବେ ଭବିଷ୍ୟତରେ ଭାରତ ଉପରେ ଚୀନର କୌଣସି ବଡ ପଦକ୍ଷେପ ପୂର୍ବରୁ ଅନେକଥର ଭାବିବାକୁ ବାଧ୍ୟ ହେବ ।

• ୪-ଆର୍ଥିକ ସ୍ଥିତି କ୍ଷେତ୍ରରେ ଭାରତକୁ ଅଧିକ ମଜବୁତ ହେବାକୁ ପଡିବ । ୧୯୯୦ ମସିହାରେ ଉଭୟ ଦେଶର ଅର୍ଥବ୍ୟବସ୍ଥା ପ୍ରାୟ ସମାନ ରହିଥିଲା । କିନ୍ତୁ ପରେ ଭାରତକୁ ପଛରେ ପକାଇ ଚୀନ ବିକାଶର ନୂଆ ଧାରା ସହ ବଢିବାରେ ଲାଗିଛି । ଯଦି ଭାରତର ଅର୍ଥବ୍ୟବସ୍ଥା ୭.୭୫ ପ୍ରତିଶତ ହାରରେ ବୃଦ୍ଧି ପାଏ ତେବେ ଆଗାମୀ ୨୫ରୁ ୩୦ବର୍ଷ ମଧ୍ୟରେ ଅର୍ଥନୀତିକ୍ଷେତ୍ରରେ ଚୀନର ମୁକାବିଲା ଭାରତ କରିବା ସମ୍ଭାବନା ରହିଛି ।

• ୫-ଯଥା ସମ୍ଭବ ଚୀନଠୁ ଆମଦାନୀ କମ କରିବାକୁ ପଡିବ । ତେଣୁ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ନିଜକୁ ସ୍ୱୟଂସମ୍ପୂର୍ଣ୍ଣ କରିବା ଉଚିତ ।

ଅରୁଣାଚଳପ୍ରଦେଶକୁ ନେଇ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦୀର୍ଘଦିନ ଧରି ଚାଲିଆସିଛି । ଅରୁଣାଚଳର କିଛି ଅଂଶକୁ ଚୀନ ନିଜର ବୋଲି ଦାବି କରୁଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ଡୋକଲାମ, ଗଲୱାନ ଓ ଏବେ ତୱାଂଗରେ ଚୀନର ସେନାର ଅନୁପ୍ରବେଶ ଉଦ୍ୟମ ଭାରତ ପାଇଁ ପୁଣି ଏକ ନୂଆ ଚ୍ୟାଲେଞ୍ଚ ସୃଷ୍ଟି କରିଛି । ଆଗକୁ ଏନେଇ ଭାରତର ଆଭିମୁଖ୍ୟ କଣ ରହିବ?କୁଟନୀତି ନା ସାମରିକ ସ୍ତରରେ ଭାରତ ଏଭଳି ଘଟଣାର ଜବାବ ଦେବ? ନା ପୁଣି କେବଳ ବୈଠକ ଓ ଚେତାବନୀ ଭିତରେ ମୁହାଁମୁହିଁ ଘଟଣା ଥଣ୍ଡା ପଡିବ । ଏକଥା ଆଗକୁ ଜଣାପଡିବ