ବଢୁଛି କାନାଡ଼ା-ଭାରତ ସମ୍ପର୍କରେ ତିକ୍ତତା । ଶେଷ ମୁହୁର୍ତରେ କାରଣ ନ କହି ମୁକ୍ତ ବାଣିଜ୍ୟ ବୁଝାମଣା ବୈଠକ ବାତିଲା କଲା କାନାଡା

333

କନକ ବ୍ୟୁରୋ : ବାତିଲା ହେଲା ଭାରତ-କାନାଡ଼ା ମୁକ୍ତ ବାଣିଜ୍ୟ ବୁଝାମଣା ବା ଏଫଟିଏ ବୈଠକ । ଅକ୍ଟୋବର ମାସରେ ବୈଠକ ବସିବା ନେଇ ଉଭୟ ଦେଶ ମଧ୍ୟରେ ସ୍ଥିର ହୋଇଥିଲେ ମଧ୍ୟ ଶେଷ ମୁହୁର୍ତରେ କାନାଡ଼ା ପକ୍ଷରୁ ବାତିଲା କରାଯାଇଛି । କାନାଡାର ମନ୍ତ୍ରୀ ମ୍ୟାରି ଏନଜୀ ଭାରତ ଆସିବା କାର୍ଯ୍ୟକ୍ରମ ରହିଥିଲା । ତେବେ କ’ଣ ପାଇଁ ବୈଠକ ବାତିଲ ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ଆଶଙ୍କା କରାଯାଉଛି ଖଲିସ୍ତାନୀ ପ୍ରସଙ୍ଗ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଚାଲିଛି ।

ଶୁକ୍ରବାର ଭାରତ ସ୍ପଷ୍ଟ କରିଥିଲା ଯେଉଁ ପର୍ଯ୍ୟନ୍ତ କାନାଡାରେ ଭାରତ ବିରୋଧୀ ଗତିବିଧି ରୋକାନଯାଏ ସେ ପର୍ଯ୍ୟନ୍ତି ବ୍ୟବସାୟ ଓ ବ୍ୟାପର ସମ୍ବନ୍ଧୀୟ ଆଲୋଚନା ସମ୍ଭବ ନୁହେଁ । ଭାରତ ବିରୋଧୀ ଖଲିସ୍ତାନୀ ପ୍ରୋପାଗଣ୍ଡାକୁ ମୋଦୀ ସରକାର ଲଗାତାର ବିରୋଧ କରିବା ସହ କାନାଡ଼ାକୁ ତାଗିଦ କରି ଆସୁଛନ୍ତି । ତେବେ ଜି-୨୦ ସମ୍ମିଳନୀରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଯୋଗ ଦେବା ପରେ ଦୁଇ ଦେଶ ମଧ୍ୟରେ ସବୁ କିଛି ସ୍ୱାଭାବିକ ଥିବା ଅନୁମାନ କରାଯାଉଥିଲା । ତେବେ ଟ୍ରୁଡୋଙ୍କ ବିମାନ ଖରାପ ହେବା ଓ ଦୁଇ ଦିନ ଧରି ଭାରତରେ ଅଧିକ ରହଣୀକୁ କାନାଡ଼ା ମିଡିଆ ଭିନ୍ନ ଦୃଷ୍ଟିକୋଣରେ ଦେଖି ଭଳିକି ଭଳି ଖବର ପ୍ରକାଶ କରିଥିଲା । ଭାରତ ଓ କାନାଡା ମଧ୍ୟରେ ଦୀର୍ଘବର୍ଷ ହେବ ବ୍ୟବସାୟର ସମ୍ପର୍କ ରହିଛି । ୨୦୨୩ରେ ଭାରତ ସହ କାନାଡା ୮.୧୬ ଅରବ ଡଲାର ବ୍ୟବସାୟ କରିଛି ।