ବିଶ୍ୱକପ୍ କ୍ରିକେଟ ମୁକାବିଲା । ଆଜି ଖେଳାଯିବ ଦୁଇଟି ମ୍ୟାଚ । ନ୍ୟୁଜିଲାଣ୍ଡ ସହ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ସହ ଅଷ୍ଟ୍ରେଲିଆର ଟକ୍କର

138

କନକ ବ୍ୟୁରୋ: ଜମି ଆସିଲାଣି ବିଶ୍ୱକପ୍ କ୍ରିକେଟ । ଇଂଲଣ୍ଡରେ ଏହାର ଫିବର ଦେଖିବାକୁ ମିଳିଲାଣି । ଆଜି ବିଶ୍ୱକପ୍ କ୍ରିକେଟର ତୃତୀୟ ଦିନରେ ରହିଛି ୨ଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା । ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଅଷ୍ର୍ଟ୍ରେଲିଆକୁ ଭେଟିବ ଆଫଗାନିସ୍ତାନ । ତେବେ ଏହି ମ୍ୟାଚରେ କିଛି ବି ଓଲଟପାଲଟ କରିବାର କ୍ଷମତା ରଖିଛି ଆଫଗାନ୍ ଟିମ୍ ।

ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ପାଇଁ ବିଶ୍ୱକପ୍ ସ୍ୱପ୍ନ ହୋଇ ରହିଛି । ହେଲେ ଏଥର କିନ୍ତୁ ଟାଇଟଲ୍ ଦାବିଦାର ମନେହେଉଛି । କେନ୍ ୱିଲିୟମସନଙ୍କ ନେତୃତ୍ୱରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ବେଶ୍ ସନ୍ତୁଳିତ । ଗୁପ୍ଟିଲ, ମୁନରୋ, କେନ୍ ୱିଲିୟମସନ୍, ରସ୍ ଟେଲର ଓ ଲାଥମ କୁ ନେଇ ଟିମର ବ୍ୟାଟିଂ ଲାଇନ୍ ବେଶ ମଜବୁତ୍ । ସେହିପରି ବୋଲିଂ ସମ୍ଭାଳିବେ ଟିମ୍ ସାଉଦି, ଟ୍ରେଂଟ ବୋଲ୍ଟଙ୍କ ସହ ଇସ୍ ସୋଡି । ଏହା ହିଁ ସିଂହଳି ଟିମ୍ ପାଇଁ ଚିନ୍ତା ବଢାଇବ ନିଶ୍ଚୟ । ପ୍ରାକ୍ଟିସ୍ ମ୍ୟାଚରେ ଶକ୍ତିଶାଳୀ ଭାରତକୁ ହରାଇଥିବାରୁ ନ୍ୟୁଜିଲାଣ୍ଡର ଶ୍ରୀଲଙ୍କା ବିପକ୍ଷରେ ମନୋବଳ ବେଶ୍ ଉଚା ରହିବ । ସେପଟେ ଦୁଇଟି ଯାକ ଅଭ୍ୟାସ ମ୍ୟାଚ୍ ହାରିଥିବା ଶ୍ରୀଲଙ୍କା ପାଇଁ ବ୍ୟାଟିଂ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ହୋଇପାରେ । ଦିମୁଥ କରୁଣାରତ୍ନେଙ୍କ ସିଂହଳି ଟିମ୍ ବିଶ୍ୱକପର ପ୍ରଥମ ମ୍ୟାଚରେ ଚାପରେ ରହିବ । ଦଳରେ ବ୍ୟାଟିଂ ସମସ୍ୟା ରହିଥିବା ବେଳେ ମାଲିଙ୍ଗା, ନୁଆନ୍ ପ୍ରଦୀପ , ସୁରଙ୍ଗା ଲାକମଲଙ୍କୁ ନେଇ ବୋଲିଂ ସନ୍ତୁଳିତ ରହିବ ।

ଆଜି ବିଶ୍ୱକପର ତୃତୀୟ ମ୍ୟାଚରେ ମୁହାମୁହିଁ ହେବେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ । ବ୍ରିଷ୍ଟଲ୍ ଗ୍ରାଉଣ୍ଡରେ କଙ୍ଗାରୁ ଟିମକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ଆଫଗାନିସ୍ତାନ ଟିମ୍ । ଅଭ୍ୟାସ ମ୍ୟାଚରେ ପାକିସ୍ତାନ ଓ ଶ୍ରୀଲଙ୍କା ପରି ଟିମକୁ ପରାସ୍ତ କରିଛି ଆଫଗାନିସ୍ତାନ । ଗୁଲବାଦିନ୍ ନାଇବଙ୍କ ଟିମ୍ରେ ଅଛନ୍ତି ମହମ୍ମଦ ସେହଜାଦ୍ଙ୍କ ପରି ବ୍ୟାଟସ ମ୍ୟାନ୍ । ରସିଦ୍ ଖାନ୍ ଓ ମହମ୍ମଦ ନବିଙ୍କ ପରି ମ୍ୟାଚ୍ ଓି୍ୱନିଂ ବୋଲର । ତେଣୁ ୫ ଥର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ବିଶ୍ୱକପରେ ଏହାର ପ୍ରଥମ ମ୍ୟାଚକୁ ହାଲକାରେ ନେବନି ନିଶ୍ଚୟ ।