ଏଥର ରୋଚକ ହେବ ପାଟକୁରା ଲଢେଇ: ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଦେଖିବ ଜନତା

130

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ମଣ୍ଡଳିରେ ଦେଖାଦେଇଛି ନିର୍ବାଚନି ଉଷ୍ମତା । ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସର ବିଧାୟଜ ପ୍ରାର୍ଥୀ ରୋଡ୍ ସୋ ସହିତ ଘର ଘର ବୁଲି ପ୍ରଚାର କରୁଛନ୍ତି । ଚଳିତ ନିର୍ବାଚନରେ ବିଜେଡି ତାର ଗଡ ବଂଚାଇବା ରଣନୀତି କରୁଥିବା ବେଳେ ବିଜେପି ଓ କଂଗ୍ରେସ ପରିବର୍ତନ ପାଇଁ ଅଂଟା ଭିଡିଛନ୍ତି ।

ରାଜ୍ୟ ରାଜନୀତିରେ ବିଶେଷ ଗୁରୁତ୍ୱ ବହନ କରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳି । ବିଜେଡି ଦଖଲରେ ଥିବା ଏହି ଆସନ ପାଇଁ ଏଥର କଡା ଟକ୍କର ଦେଖିବେ ଜନତା ।  ବିଜେଡିରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର, ବିଜେପିରୁ ଯୁବ ସଙ୍ଗଠକ ତେଜେଶ୍ୱର ପରିଡା ଓ କଂଗ୍ରେସରୁ ରତିକାନ୍ତ କାନୁନ୍ଗୋ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ,ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଂଚଳରେ କର୍ମୀ ସମ୍ମିଳନୀ, ରୋଡ-ସୋ କରିବା ସହିତ ଘର ଘର ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ।

ଗରଦପୁର ବ୍ଲକର ୧୮ ପଂଚାୟତ, ଡେରାବିଶ ବ୍ଲକର ୨୬ ପଂଚାୟତ ଓ ମାର୍ଶାଘାଈ ବ୍ଲକର ୭ ପଂଚାୟତକୁ ନେଇ ଗଠିତ ପାଟକୁରା ନିର୍ବାଚନ ମଣ୍ଡଳି । ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ୫୧ ହଜାର ୫୪୮ । ବିଜେଡି ବିଧାୟକ ପ୍ରାର୍ଥୀ ପାଟକୁରା ନିର୍ବାଚନ ମଣ୍ଡଳିର ବିକାଶକୁ ମୁଖ୍ୟ ମୁଦ୍ଦା କରିଥିବା ବେଳେ ଏଥର ପରିବର୍ତନର ନାରା ଦେଇ ଭୋଟଭିକ୍ଷା କରୁଛନ୍ତି ବିଜେପି ପ୍ରାର୍ଥୀ ତେଜେଶ୍ୱର ପରିଡା । ବିଜେଡି ଲଗାତାର ଭାବେ ପାଟକୁରା ନିର୍ବାଚନ ମଣ୍ଡଳି ନିଜ ହାତରେ ମୁଠାରେ ରଖିବାକୁ ଆଶା ବାନ୍ଧିଥିବା ବେଳେ ବିଜେପି ଓ କଂଗ୍ରେସ ଏଥର ପରିବର୍ତନ ପାଇଁ ଅଂଟା ଭିଡିଛନ୍ତି ।