ଆଜିଠୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପଞ୍ଜିକରଣ ଆରମ୍ଭ । ଜାଣନ୍ତୁ କେମିତି କରିବେ ପଞ୍ଜିକରଣ?

165

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କରୋନା ଟିକା । ତେବେ ଏହାପୂର୍ବରୁ ଆଜି ଠାଣୁ ପିଲାଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ଆଉ ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଆଜି ଠାରୁ ୧୫ରୁ ୧୮ ବର୍ଷ ବୟସ୍କ ପିଲା କୋୱିନ ପୋର୍ଟାଲରେ ଲଗ୍ ଇନ୍ କରି ମୋବାଇଲ ନମ୍ବର ଦେଇ ଓଟିପି ଜରିଆରେ ଟିକାକରଣ ପାଇଁ ନାମ ପଞ୍ଜିକରଣ କରିପାରିବେ । ଏହାପରେ ସେମାନେ କୋୱିନ୍ ପୋର୍ଟାଲରେ ନିର୍ଦ୍ଦିଷ୍ଟ ତାରିଖ ବୁକ୍ କରି ୩ ତାରିଖ ପରଠାରୁ ଟୀକା ନେଇପାରିବେ । ଏବେ ରାଜ୍ୟରେ ୨୬୦୦ ଟୀକାକରଣ କେନ୍ଦ୍ର ଅଛି । ସେଥିମଧ୍ୟରୁ କିଛି ସମର୍ପିତ କିଶୋର ଟୀକାକରଣ କେନ୍ଦ୍ର ରହିବ । କିନ୍ତୁ ଅନ୍ୟ ସମସ୍ତ ଟୀକାକରଣ କେନ୍ଦ୍ରରେ ବି ନିର୍ଦିଷ୍ଟ ସମୟ ମଧ୍ୟରେ କିଶୋର ଟୀକା ନେଇପାରିବେ । ଏପରିକି ଟୀକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟୀକା ନେଇପାରିବେ ୧୫ରୁ ୧୮ ବର୍ଷ ପିଲା।

ଯେତେ ପିଲା ଟୀକା ନେବାକୁ ଆସିବେ, ସେମାନଙ୍କର ଟୀକାକରଣ କରାଯିବ । ତେଣୁ ୨୦୦୭ ପୂର୍ବରୁ ଜନ୍ମଗ୍ରହଣ କରିଥିବା ପିଲାଙ୍କ ଟୀକାକରଣ ପାଇଁ ପଞ୍ଜୀକରଣ କରାନ୍ତୁ ଅଭିଭାବକ । ଏବେ ରାଜ୍ୟରେ ୧୫ ଲକ୍ଷ ଡୋଜ କୋଭକ୍ସିନ ମହଜୁଦ ଅଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଭକ୍ସିନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କୋୱିନ୍ ପୋର୍ଟାଲରେ ୪୫ ହଜାରରୁ ଅଧିକ ପିଲା ଟୀକାକରଣ ପାଇଁ ବୁକ କରିସାରିଛନ୍ତି ।

ଏସବୁ ଭିତରେ ୫ କୋଟି ଡୋଜ ଟୀକାକରଣ କରି ମଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏହା ଏକ ବଡ଼ ସଫଳତା । ରାଜ୍ୟରେ ୧୮ ବର୍ଷରୁ ଉଦ୍ଧ୍ୱର୍ ୩ କୋଟି ୨୫ ଲକ୍ଷ ଲୋକଙ୍କ ମଧ୍ୟରୁ ଏବେ ୯୦% ପ୍ରଥମ ଡୋଜ ଟୀକା ନେଇସାରିଲେଣି । ଜାନୁଆରୀ ୧୫ ସୁଦ୍ଧା ସମସ୍ତଙ୍କୁ ଟୀକାକରଣ ଲାଗି ଲକ୍ଷ୍ୟ ରଖାଯାଇଛି । ୬୪% ଉଭୟ ଡୋଜ ଟୀକା ମଧ୍ୟ ନେଇ ସାରିଲେଣି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।