ଫୁସଫୁସର ବିଶେଷ କ୍ଷତି କରୁନି ଓମିକ୍ରନ୍ : ହଂକଂ ଓ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ଗବେଷଣାରୁ ତଥ୍ୟ

ଫୁସଫୁସ୍ ଉପରେ ଡ଼େଲଟା ତୁଳନାରେ ୧୦ ଭାଗରୁ ଭାଗେ ପକାଉଛି ପ୍ରଭାବ; ହେଉନି ବିଶେଷ ଘାତକ

93

କନକ ବ୍ୟୁରୋ : ଫୁସଫୁସ ଉପରେ ବିଶେଷ ପ୍ରଭାବ ପକାଉନାହିଁ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ୍ । ବିଶ୍ୱରେ ଓମିକ୍ରନ୍ ଭୟ ଭିତରେ ଏପରି କିଛି ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ୱାଶିଂଟନ୍ ଓ ହଂକଂ ବିଶ୍ୱବ୍ୟିାଳୟର ଗବେଷଣାରୁ ଏପରି ତଥ୍ୟ ଆସିଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ପୂର୍ବ ଭାଇରସ୍ ଅପେକ୍ଷା ଓମିକ୍ରନ୍ ପ୍ରଭାବ ଫୁସ୍ଫୁସ୍ ଉପରେ କମ୍ ପଡୁଛି । ଯାହାକି ପୂର୍ବ ଭ୍ୟାରିଆଂଟ ଡେଲ୍ଟାଠାରୁ ୧୦ ଭାଗରୁ ଭାଗେ ପ୍ରଭାବ ପକାଉଛି ।

୧୨ ଜଣଙ୍କ ନମୁନା ନେଇ ହଂକଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଇଥିଲା । ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ ଯେ ଓମିକ୍ରନର ପ୍ରଭାବ ଡେଲଟାଠାରୁ କମ୍ ରହିଛି । ଓମିକ୍ରନ୍ ଯୋଗୁ ରୋଗୀ ମେଡିକାଲରେ ଭର୍ତି ହେବା ସଂଖ୍ୟା ମଧ୍ୟ ହ୍ରାସ ପାଉଛି । କରୋନାର ଏହି ନୂଆ ଭ୍ୟାରିଆଂଟ ଯୋଗୁ ମୃତ୍ୟୁ ହାର ମଧ୍ୟ ନଗନ୍ୟ ରହୁଛି । ଦକ୍ଷିଣ ଆଫ୍ରିକାରେ ପିକ୍ ସମୟ ଅତିକ୍ରମ କରିସାରିଲାଣି ଓମିକ୍ରନ୍ । ହେଲେ ଦେଶରେ ବିଶେଷ ପ୍ରଭାବ ପଡ଼ିନି, ମୃତ୍ୟୁ ସଂଖ୍ୟା ମଧ୍ୟ ନଗନ୍ୟ ରହିଛି ।

ସେପଟେ, ନାଇଟ୍ କର୍ଫ୍ୟୁର ନାହିଁ କୌଣସି ବୈଜ୍ଞାନିକ ଆଧାର । ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି, ଭାରତ ପରି ଦେଶରେ କରୋନାକୁ ରୋକିପାରିବନି ରାତ୍ରିକାଳୀନ କର୍ଫ୍ୟୁ । ଦେଶରେ ସଂକ୍ରମଣ ବଢୁଥିବାରୁ ଭୟଭୀତ ନହୋଇ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି, ସଂକ୍ରମଣ ରୋକିବା ପାଇଁ ବୈଜ୍ଞାନିକ ଆଧାରିତ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ମନୋରଂଜନ ସ୍ଥାନ ମାନଙ୍କରେ ଅଧିକ ସଂକ୍ରମଣ ବ୍ୟାପିପାରେ । ସେଠାରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଛି । ଏବେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନେକ ରାଜ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ।